ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର (ଏସ୍ ନ୍ୟୁଜ) : ଆରମ୍ଭ ହୋଇଛି ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା । ୨ ଦିନ ଧରି ଏହି ପରୀକ୍ଷା ହେବ । ନଭେମ୍ବର ୧୧ ବା ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ପରୀକ୍ଷା ଓ ୧୨ ତାରିଖ‌ରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା କରାଯିବ। ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ ଏଜୁକେସନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୦ଟି କେନ୍ଦ୍ର ହୋଇଛି। ଯେଉଁଥିରେ ୧୩୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ୍‌-୧୯ ନିର୍ଦେଶାବଳୀ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଯେଉଁ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ‌ପେପର୍‌ରେ ପାସ୍‌ କରିଥିବେ ହେଲେ ଥିଓରି ପରୀକ୍ଷାରେ ଫେଲ୍‌ କିମ୍ବା ଅନୁପସ୍ଥିତ ଥିବେ ସେମାନେ କେବଳ ଥିଓରି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଥିଓରି ପରୀକ୍ଷାରେ ପାସ୍‌ କରି ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।