ସମ୍ବଲପୁର ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ବୋମାମାଡ଼ ଘଟଣାର ମୁଖ୍ୟ ଖଳନାୟକ ଅଭିଳାଷ ମିଶ୍ରକୁ ପୁଲିସ ଗିରଫ କରିଛି । ୧୯ ବର୍ଷୀୟ ଅଭିଳାଷର ଘର ବଡ଼ବଜାର ଅନ୍ତର୍ଗତ ସୁନାରୀପଡ଼ା ଅଂଚଳରେ । ତା’ ନିକଟରୁ ଧଳାରଙ୍ଗର ସାଇକେଲ, ଧଳାରଙ୍ଗର ହୁଡ଼ି ଟି-ସାର୍ଟ, ଆପଲ ମୋବାଇଲ, ପ୍ରେସର ବୋମା ସାମଗ୍ରୀ, ଗୋଟିଏ ସ୍କୁଟି, ସୋଲଡରିଂ ମେସିନ୍‌, ଦୁଇଟି ଅଧାପୋଡ଼ା ବାଇକ, ଦୁଇଟି ଅଧାପୋଡ଼ା ବ୍ୟାଟେରୀ, ଇଲେକ୍‌ଟ୍ରୋନିକ୍ସ ସର୍କିଟ, ଏଲଇଡି ମେସିନ୍‌, ହିଟ୍‌ ଗନ୍‌ ଓ ପ୍ଲାଷ୍ଟିକ ହାତଥିବା ଛୁରୀ ଜବତ କରାଯାଇଛି ।

ଅଭିଯୁକ୍ତ ଅଭିଳାଷ ପୀରବଜାର ଛକ ନିକଟ ଫ୍ଲାଇ ଓଭରରୁ ତଳକୁ ପ୍ରେସର ବୋମା ପକାଇ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି କରିଥିଲା । ବୋମାମାଡ଼ରେ ତିନିଜଣ ଲୋକ ଘାଇଲା ହୋଇଯାଇଥିଲେ । ବୋମାଟି ଫୁଟିବାରୁ ବେଶ କିଛି ସମୟ ପାଇଁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।