ଡାକ୍ତରୀ ପେସା, ବ୍ରାଉନ୍‌ ସୁଗାର ବେଉସା

କମ୍‌ ସମୟ ଭିତରେ ଅଧିକ ଟଙ୍କା ରୋଜଗାର କରିବା ନିଶା ମଣିଷକୁ ଅବାଟକୁ ନେଇଯାଏ । ଏମିତି ଏକ ଘଟଣାର ଶିକାର ହୋଇ ଜେଲକୁ ଯାଇଛନ୍ତି ଯାଜପୁର ଥାନା ଅଂଚଳର ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆ । ୨୮ ବର୍ଷୀୟ ନିଗମାନନ୍ଦ ମହାବୀର ନଗରରେ କ୍ଲିନିକ୍‌ ଖୋଲିଥିଲେ ମଧ୍ୟ ଅସଲରେ ବ୍ରାଉନ୍‌ ସୁଗାର ବେପାର କରୁଥିଲେ ।

ଯାଜପୁର ଥାନା ପୁଲିସ ପକ୍ଷରୁ ଧରପଗଡ଼ ଚାଲିଥିବା ବେଳେ ଧରା ପଡ଼ିଥିଲେ ସନ୍ଦୀପ ମଲିକ ଓ ରକ୍ଷାକର ଦୀକ୍ଷିତ । ଉଭୟଙ୍କ ନିକଟରୁ ବ୍ରାଉନ୍‌ ସୁଗାର ଜବତ କରିଥିଲା ପୁଲିସ । ଜେରା ସମୟରେ ଦୁଇ ଅଭିଯୁକ୍ତ ଡାକ୍ତର ନିଗମାନନ୍ଦ ଖଟୁଆଙ୍କ ନିକଟରୁ ବ୍ରାଉନ୍‌ ସୁଗାର ନେଇ ଅନ୍ୟମାନଙ୍କୁ ବିକୁଥିବା ମାନିଥିଲେ ।

ଶୁଣିବାକୁ ମିଳୁଛି, ଡାକ୍ତର ନିଗମାନନ୍ଦ ରାଜ୍ୟ ବାହାରୁ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଆଣି ସନ୍ଦୀପ ଓ ରକ୍ଷାକରଙ୍କ ଭଳି ଛୋଟଛୋଟ ବେପାରୀଙ୍କ ଜରିଆରେ ବ୍ୟବସାୟ କରୁଥିଲେ । ନିଗମାନନ୍ଦଙ୍କ ରାକେଟରେ ଆଉ କୋଉମାନେ ଅଛନ୍ତି, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।