୨ କୋଟି ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ

ଭୁବନେଶ୍ୱର: ଲୋଭନୀୟ ବିଜ୍ଞାପନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କ ନିକଟରୁ ପ୍ରାୟ ୨ କୋଟି ଟଙ୍କା ଠକେଇ ମାମଲାରେ ଜଡ଼ିତ ମହିଳା ଅଭିଯୁକ୍ତ ରାମି ଭୂୟାଁଙ୍କୁ ଟ୍ରାଂଜିଟ୍‌ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଛି ।ସମ୍ବଲପୁର ଜିଲ୍ଲାର ବିକାଶ ପୋଦାର ଏଲଏଲ୍‌ପି କମ୍ପାନୀର ଦୁଇଜଣ ନିର୍ଦ୍ଦେଶକ ବିମଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରାମି ଭୂୟାଁଙ୍କ ନାମରେ ୧ କୋଟି ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ କରିଥିଲେ । ବିକାଶଙ୍କ ଅଭିଯୋଗ ମୁତାବକ ଭୂୟାଁ ଦମ୍ପତି ପ୍ରାୟ ୫୩ ଜଣ ନିବେଶକଙ୍କୁ ଠକିଥିଲେ ।

ମାତ୍ର ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଭୂୟାଁ ଦମ୍ପତି ଶତାଧିକ ଲୋକଙ୍କ ନିକଟରୁ ପ୍ରାୟ ୨ କୋଟି ଟଙ୍କା ଠକିବା ପରେ ରାତାରାତି ଓଡ଼ିଶା ବାହାରକୁ ପଳାୟନ କରିଛନ୍ତି ।ବହୁତ ଚେଷ୍ଟା କରିବା ପରେ ଜଣାପଡ଼ିଲା ଯେ ରାମି ଭୂୟାଁ ତାଙ୍କର ଅସଲ ପରିଚୟ ଲୁଚାଇ ମୁମ୍ବାଇର ପୂର୍ବାଂଚଳ ସ୍ଥିତ ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥାରେ କାମ କରୁଛନ୍ତି । ଯାହା ହେଉ, ପୁଲିସ ତାଙ୍କୁ ଗିରଫ କରିଥିଲା ବେଳେ ବିମଳାନନ୍ଦଙ୍କୁ ଧରିବାକୁ ସଫଳ ହୋଇନାହାନ୍ତି ।