ପୁରୀ: ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଥାଏ। ମହାରଣା କୁଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ରଥ ନିର୍ମାଣରେ ବ୍ୟସ୍ତ ରହନ୍ତି।
ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କରିଥାନ୍ତି ମହାରଣା ସେବକ। ଅକ୍ଷୟ ତୃତୀୟା ପରଦିନଠୁ କାମ ଆରମ୍ଭ ହୁଏ। ତୁମ୍ବ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତି ମହାରଣାଙ୍କୁ ସାଇଜ କରିବାକୁ ଯୋଗାଇ ଦିଅନ୍ତି। ପ୍ରଥମେ ବଡବାଡ ତଥା ଶ୍ରୀବଳଭଦ୍ରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି।
ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥ କାମ କ୍ରମାନୁଯାୟୀ ଆରମ୍ଭ ହୁଏ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୨୭ ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ ୨୬ ଜଣ ଓ ଦେବୀ ସୁଭଦ୍ରାଙ୍କ ରଥରେ ୨୫ ଜଣ ମହାରଣା ସେବକ ନିୟୋଜିତ ହୋଇଛନ୍ତି।
ଏହିଭଳି ତିନି ରଥରେ ମୋଟ ୭୮ ଜଣ ମହାରଣା ସେବକ ନିୟୋଜିତ। ନନ୍ଦିଘୋଷ ରଥରେ ବିଜୟ କୁମାର ମହାପାତ୍ର ମୁଖ୍ୟ ମହାରଣା ଦାୟିତ୍ୱ ତୁଲାଇ ଆସୁଛନ୍ତି। ତାଳଧ୍ୱଜ ରଥରେ ନରସିଂହ ମହାରଣା ମୁଖ୍ୟ ମହାରଣା ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦେବଦଳନ ରଥରେ ନାରାୟଣ ମହାରଣା ମୁଖ୍ୟ ମହାରଣା ଦାୟିତ୍ୱ ବହନ କରିଛନ୍ତି। ମହାରଣା ସେବକଙ୍କ ପ୍ରଥମ କାମ ତୁମ୍ବ। କରତି ମହାରଣା ତୁମ୍ବ ପାଇଁ ନିର୍ଦ୍ଦିଷ୍ଟ ଆକୃତିର କାଠ ଖଣ୍ଡ ଯୋଗାଇ ଦେବା ପରେ ଏହାକୁ ବାରିସିରେ ହାଣି ସାଇଜ୍ କରନ୍ତି ମହାରଣା ସେବକ।
ତୁମ୍ବ ହଣା ସରିଲେ ସୂତା ବାଡିଆ, ବିନ୍ଧ କାର୍ଯ୍ୟ, ଅର ସଂଯୋଗ, ପଇ ବିନ୍ଧ ହୋଇ ଚକରେ ସେଟ୍ ହୁଏ। ଚକ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୁଜ, ଜଳଯନ୍ତ୍ର, କୁଡୁକା ପ୍ରସ୍ତୁତ କରାଯାଏ।
ଚକ ସରିବା ପରେ ଦଣ୍ଡା ଲାଗେ। ପରେ ଦଣ୍ଡା ଗୋଲେଇ, ଗରଗରା, ଚାରିନାହାକା, ଗୟଳ ମୋଡା, ପାର୍ଶ୍ୱ ଗୟଳ , ନିରାଡି, ଛନ୍ଦା ଗୟଳ, ପ୍ରଥମରୁ ତୃତୀୟ ଭୂଇଁ, ପୋଟଳ, ପରାଭାଡି, କଇଁଚି ଫାଳି, ଦୁଆର, ପ୍ରଭା, କନକମୁଣ୍ଡି, ବାଡ, ବେଦି, ସିଂହାସନ, ହଂସପଟା, କନ୍ୟାପଟା ଆଦି ସଂଯୋଗ ମହାରଣା ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ।
ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ରଥ କାମ ପାଇଁ ସେମାନେ ମୁଖ୍ୟ ଅସ୍ତ୍ର ଭାବେ ବାରିସି, ନିହାଣ, ମୁଗୁର, କୁଆଁର ଆଦି ବ୍ୟବହାର କରିଥାଆନ୍ତି। ରଥର ବିଭିନ୍ନ ଅଂଶର ମାପ ପାଇଁ ହାତ କାଠି ବ୍ୟବହାର କରିଥାଆନ୍ତି। ରଥ କାର୍ଯ୍ୟ ହାତ ଓ ଆଙ୍ଗୁଳି ମାପ ହିସାବରେ ହୋଇଥାଏ। ରଥ ମାପ ପାଇଁ ଏହି ହାତ କାଠିକୁ ବ୍ୟବହାର କରାଯାଇଥାଏ। ମହାରଣା ସେବକମାନେ ଯେତିକି ପାଉଣା ପାଆନ୍ତି, ମୁଖ୍ୟ ମହାରଣା ସେମାନଙ୍କ ଠାରୁ ଅଧିକ ୨୦ ଟଙ୍କା ମଜୁରି ପାଇଥାଆନ୍ତି। ଏହା କେବଳ ମୁଖ୍ୟ ହିସାବରେ ମାନ୍ୟତା ପାଇଁ ଦିଆଯାଇଥାଏ।
ଏହା ବ୍ୟତୀତ ରଥ କାମ ସରିବା ପରେ ଯେଉଁ କାଠ ଖଣ୍ଡ ବାହାରେ ସେସବୁକୁ ପ୍ରାପ୍ୟ ପାଉଣା ଭାବେ ମହାରଣା ସେବକମାନଙ୍କୁ ଯୋଗାଇ ଦିଆଯାଇଥାଏ।
ରଥ କାର୍ଯ୍ୟ ନେତ୍ରୋତ୍ସବ ପୂର୍ବରୁ ସାରିବା ଲକ୍ଷ୍ୟ ନେଇ କାମ ଆରମ୍ଭ ହୁଏ। ନିର୍ଦ୍ଦିଷ୍ଟ ପର୍ବରେ ରଥର ବିଭିନ୍ନ ଅଙ୍ଗର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥାଏ। ସ୍ନାନପୂର୍ଣ୍ଣିମା ପୂର୍ବରୁ ଚାରି ନାହାକା ଉଠିବାର କାର୍ଯ୍ୟ ଧାର୍ଯ୍ୟ ହୋଇଥାଏ। ସେହିଭଳି ଚକଅଖ ଡେରା ଓ ଅନ୍ୟ କାର୍ଯ୍ୟଗୁଡିକ ମଧ୍ୟ କିଛି ପର୍ବପର୍ବାଣୀରେ ଶେଷ କରିବା ଲକ୍ଷ୍ୟ ନେଇ ମହାରଣା ସେବକମାନେ କରିଥାଆନ୍ତି।