ଅସଲି ରାମଲାଲା ଅଲୋଡ଼ା: ବିଜେପିର ଅହଙ୍କାର ନକଲି ରାମଲାଲା

୧୯୪୯ ମସିହାରୁ ବାବ୍ରି ପୀଠରେ ଦୟନୀୟ ଅବସ୍ଥାରେ ପୂଜା ପାଇ ଆସୁଥିବା ରାମଲାଲା କ’ଣ ପ୍ରାଣହୀନ ଥିଲେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନିର୍ଦ୍ଦେଶରେ ରାମ ମନ୍ଦିର ଟ୍ରଷ୍ଟ ୨ କ୍ୱିଂଟାଲ ଓଜନ ବିଶିଷ୍ଟ ରାମଲାଲାଙ୍କ ନବନିର୍ମିତ ପ୍ରତିମାକୁ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହର ମୂଳ ଆସ୍ଥାନରେ ପ୍ରତିଷ୍ଠା କରି ପ୍ରାଣ ସଂଚାର କରିବେ ।

ଦୀର୍ଘ ୭୦ ବର୍ଷ ଧରି ଖୋଲା ଆକାଶ ତଳେ ପାଣି କାକର ଖାଇ ହିନ୍ଦୁ-ମୁସଲିମଙ୍କ ଲଢେ଼ଇର ମୂକସାକ୍ଷୀ ରାମଲାଲା ଓ ତାଙ୍କ ଭାଇମାନେ ଗର୍ଭଗୃହରେ ଅଲୋଡ଼ା ହୋଇଯିବେ?ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗର୍ଭଗୃହରେ କେବଳ ଜଣେ ଦେବତାଙ୍କୁ ପ୍ରତିଷ୍ଠା କରା ଯାଇପାରିବ । ବିଜେପି ଧର୍ମଶାସ୍ତ୍ରରେ ଗର୍ଭଗୃହରେ ଦୁଇଟି ଦେବତାଙ୍କୁ ପ୍ରତିଷ୍ଠା କରିବାର ବିଧି ଥାଇପାରେ । ରାମ ମନ୍ଦିର ଟ୍ରଷ୍ଟ ଆଉ ହିନ୍ଦୁ ଧର୍ମଶାସ୍ତ୍ରକୁ ପ୍ରାଥମିକତା ଦେଉନି । ମୋଦିଜୀଙ୍କ ନୀତିଶାସ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ।

ସୂଚନା ମୁତାବକ ଜାନୁଆରୀ ୨୧ ତାରିଖ ସନ୍ଧ୍ୟା ସାଢେ଼ ୮ଟାରେ ୭୫ ବର୍ଷୀୟ ରାମଲାଲାଙ୍କୁ ତାଙ୍କ ତିନିଭାଇଙ୍କ ସହିତ ନୂଆ ରାମ ମନ୍ଦିର ଗର୍ଭଗୃହକୁ ନିଆଯାଇ ମୂଳ ଆସ୍ଥାନର ସାମ୍ନାର ଗୋଟିଏ କଡ଼ରେ ବସାଇ ଦିଆଯିବ ।ଜାନୁଆରୀ ୨୨ ତାରିଖରେ ବୃଦ୍ଧ ରାମଲାଲାଙ୍କୁ ସାକ୍ଷୀ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନବଜାତ ରାମଲାଲାଙ୍କ ଶରୀରରେ ପ୍ରାଣ ପ୍ରତିଷ୍ଠା କରିବେ । ଜଣେ ରାମଲାଲାଙ୍କ ଆଗରେ ଆଉ ଜଣେ ରାମଲାଲାଙ୍କ ପ୍ରତିମାରେ ପ୍ରାଣ ସଂଚାର ଭଳି କାର୍ଯ୍ୟକ୍ରମ କରି ପ୍ରଧାନମନ୍ତ୍ରୀ ମୋଦିଜୀ ବିଜେପି ପାଇଁ ମହାବିପଦକୁ ଡାକି ଆଣୁନାହାନ୍ତି ତ?ବିଜେପି ଓ ସଂଘ ପରିବାର ସହିତ ହାତ ମିଳାଇଥିବା ସାଧୁସନ୍ଥ ଓ ବୁଦ୍ଧିଜୀବୀଙ୍କ ଉପରେ ଅସଲ ରାମଲାଲାଙ୍କ ଅଭିଶାପ ପଡ଼ିଯିବନି ତ?