ନବୀନଙ୍କୁ ଗନ୍ଧ କୋଟିଆ କନ୍ଦ: ଓଡ଼ିଶା ପ୍ରତି ନବୀନଙ୍କ ଫମ୍ପା ଦରଦ

ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ କାଳ ଧରି ଓଡ଼ିଶାର ସାଢେ଼ ଚାରିକୋଟି ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଣ୍ଡରେ ବସାଇଛନ୍ତି । ତଥାପି ଓଡ଼ିଶା ପ୍ରତି ନବୀନଙ୍କ ମନରେ ଟିକେ ହେଲେ ଦରଦ ନାହିଁ । ‘ନବୀନ ଓଡ଼ିଶା’ର କର୍ଣ୍ଣଧାର ନବୀନ ପଟ୍ଟନାୟକ କେବଳ ଆପଣା ଫାଇଦାକୁ ପ୍ରାଥମିକତା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ସୀମାନ୍ତ ଲାଗିରହିଛି । ଓଡ଼ିଶାର ସୀମା ସରହଦକୁ ପୂର୍ଣ୍ଣ ସୁରକ୍ଷିତ ରଖିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ କର୍ତବ୍ୟ । ମାତ୍ର ନବୀନ ପଟ୍ଟନାୟକଙ୍କର ‘ଆପେ ବଂଚିଲେ ବାପର ନାଁ’ ନୀତି କାରଣରୁ ଓଡ଼ିଶାର ସୀମା ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି ।

କୋଟିଆକୁ ଆନ୍ଧ୍ରପ୍ରଦେଶ ଖତିଆନାରେ ସାମିଲ କରିବା ପାଇଁ ଜଗନମୋହନ ରେଡ୍ଡି ସରକାର ପ୍ରାଣପଣେ ଲାଗି ପଡ଼ିଛନ୍ତି । ଆନ୍ଧ୍ରପ୍ରଦେଶକୁ ଉଚିତ ଜବାବ ଦେବା ପାଇଁ ନବୀନ ସରକାର ଅଂଟା ଭିଡିଛନ୍ତି । ସୂଚନା ମୁତାବକ କୋଟିଆ ଜନତାଙ୍କୁ ମନେଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ୩୮ରୁ ଅଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରେଡ୍ଡି ସରକାରକୁ ପରାସ୍ତ କରିବା ପାଇଁ ନବୀନ ସରକାର ସେଠାରେ ୨୨ରୁ ଅଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କାଗଜପତ୍ର କହିଛି ।

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତରେ ରହିଛି ୨୧ଟି ଜନବସତି । ୧୯୬୮ ମସିହାରୁ କୋଟିଆକୁ କେନ୍ଦ୍ର କରି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭିତରେ ବିବାଦ ଚାଲିଛି । କୌଣସି ପ୍ରକାର ବିବାଦ ସୃଷ୍ଟି ନକରିବା ପାଇଁ ଅଦାଲତ ପକ୍ଷରୁ ଉଭୟ ସରକାରଙ୍କୁ ତାଗିଦ୍‌ କରିଛନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ଆଳରେ କୋଟିଆ ଉପରେ ମାଲିକାନା ଜାହିର କରିବାକୁ ଚାହୁଁଛି ।

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ବାସିନ୍ଦାଙ୍କ ପାଇଁ ସମନ୍ୱିତ କୃଷି, ଉଦ୍ୟାନ କୃଷି, ଜଙ୍ଗଲ ଜମିପଟ୍ଟା, ମୋ ପୋଖରୀ, ଆଳୁଚାଷ, ଝାଡୁ ତିଆରି, ଭତା, ଆବାସ, ମନରେଗା, ବିଦ୍ୟାଳୟ ଭଳି ମନଲୋଭା ଲଡୁ ବିତରଣ ଚାଲିଛି ।

ଘରବୁଡ଼ି ପାଣି ଆଣ୍ଠୁଏ ହେଲା ପରେ ନବୀନ ବାବୁଙ୍କ ନିଦ ଭାଙ୍ଗିଛି । ଦେଖାଯାଉ କୋଟିଆ ଜନତା କାହାକୁ ନିଜର କରୁଛନ୍ତି ।