ବିଜେଡି ପାଖରୁ ଲୋକମାନେ ମୁହଁ ବୁଲାଇଲେଣି

ବିଜେଡି ନେତା ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଗୁମାସ୍ତାଙ୍କୁ ଖୁସି କଲା ଭଳି ଉତ୍ତର ଦେଉଛନ୍ତି...

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ବିଭାଗର କେଉଁ ସଂସ୍ଥା କେଉଁ ପରୀକ୍ଷା କରେ, ଏଥିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଧାରଣା ଟିକେ କମ ଅଛି ବୋଲି ଲାଗୁଛି । ସେଥିପାଇଁ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଗୁମାସ୍ତାଙ୍କୁ ଖୁସି କଲା ଭଳି ଉତ୍ତର ଦେଉଛନ୍ତି । କଥାରେ ଅଛି ବସ୍ତାନୀ ବେଶୀ, ପାଠ କମ୍ । ତାଙ୍କ କଥା ବି ସେହିଭଳି ମନେହେଉଛି ବୋଲି କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ଭାରତ ସରକାରଙ୍କ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ସଂସ୍ଥା ମାଧ୍ୟମରେ ଦେଶରେ ଏକାଧିକ ନିଯୁକ୍ତି ତଥା ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଉଛି । ଏଆଇସିଟି, ଇପିଏଫଓ, ଡିୟୁ, ଜେଏନୟୁ, ୟୁଜିସି ନେଟ୍, ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଜେଇଇ ଭଳି ପ୍ରାୟ ୩୪ଟି ପରୀକ୍ଷା କରି ଏନଟିଏ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ପରୀକ୍ଷା ଆୟୋଜନକାରୀ ସଂସ୍ଥା ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଭାରତ ସରକାରଙ୍କ ସଂସ୍ଥା କରିଛି ବୋଲି କହି ଭୁଲକୁ ସ୍ୱୀକାର ନ କରିବା ବିଜେଡିକ ନିତିଦିନିଆ କାର୍ଯ୍ୟ ।

କିଛି ଦିନ ତଳେ ସ୍କୁଲ ମାନଙ୍କରେ ସ୍କୁଲ ରୋବୋଟିକ ଲ୍ୟାବ୍ ସ୍ଥାପନା କରିବା ପାଇଁ ଓଡ଼ିଶା ସରକାରଙ୍କ ଓସେପା ନୋଟିସ ବାହାର କରିଥିଲା । ଜଣେ ଓଡ଼ିଆ ଯୁବ ଉଦ୍ୟୋଗୀ ଏହି ଟେଣ୍ଡରରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ତାହା ନ ଦେଇ ଜଣେ ଅଣ ଓଡ଼ିଆ ସଂସ୍ଥାକୁ ଦେବା ପାଇଁ ଓଡ଼ିଶା ସରକାର ମସୁଧା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ଅବଗତ ହେବା ପରେ ନିଜେ ହସ୍ତକ୍ଷେପ କରି ଏଡସିଲ୍ ସଂସ୍ଥାକୁ ଏଥିରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶ୍ନର ଉତ୍ତର ନ ଦେଇ ପ୍ରଶ୍ନରୁ ମୁହଁ ବୁଲାଇଥିବା କାରଣରୁ ବିଜେଡି ପାଖରୁ ଲୋକମାନେ ମୁହଁ ବୁଲାଇଲେଣି ବୋଲି ଧାମନଗର ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି ।