କି କହିବି ନୂଆ ଭାଉଜଙ୍କ କଥା

ପିଲାଟି ମାତୃଭାଷା ଛାଡି ଅନ୍ୟ ଭାଷାରେ ବିଶେଷ ….

ପିଲାଟି ମାତୃଭାଷା ଛାଡି ଅନ୍ୟ ଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଦେଲେ, ମା’ ବାପା ଖୁସିରେ ଫାଟି ପଡନ୍ତି । ଭାବନ୍ତି ପିଲାଟି କେତେ ଆଗେଇଲାଣି । ଆମ ଦେଶରେ ସବୁଠୁ ବଡ଼ ଆଶା ଚାକିରି । ସେ ପୁଣି ପ୍ରଶାସନିକ ସେବା ହେଲେ ଖୁବ୍ ଭଲ । ଇଂରାଜୀରେ ଭଲ ଥିଲେ ସିନା ପିଲାଟି କାଲି ସହଜରେ ପ୍ରଶାସନିକ ସେବା କିମ୍ବା ଅନ୍ୟ ପଦ-ପଦବୀଯୁକ୍ତ ସେବା ହାତେଇପାରିବ । ଏହି ଧାରଣା ବସା ବାନ୍ଧିଥାଏ ମା’ବାପାଙ୍କର । ତେଣୁ ପିଲାଟି ଦିନରୁ ନିଜ ଭାଷାରୁ ଦୂରେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାନ୍ତି । ପିଲାଟି ଆସ୍ତେ ଆସ୍ତେ ମାତୃଭାଷା ପ୍ରତି ବିମୁଖ ରହି ପଢେ, ବଢେ ଏବଂ ନିଜକୁ ଗଢେ ।

ଟିକେ ଭାବିଲେ ଟିକିନିଖି ଅନ୍ତରର ଭାବନା ପ୍ରକାଶ କେଉଁ ଭାଷାରେ ସହଜରେ ଏବଂ ଭଲ ଭାବରେ ସମ୍ଭବ ! ନିଜ ଭାଷାରେ ଖାଲି ଲେଖାଯାଏନି, ଭାବ ଆପେ ଆପେ ଅନ୍ତରରୁ ବାହାରି ବାଟ କଢାଇ ନିଏ । ପ୍ରକୃତ ଭାବଧାରା ପ୍ରକାଶକୁ ଖୋଜିବାକୁ ପଡ଼େନି ଶବ୍ଦକୋଷ । କାରଣ ଏହା ସ୍ୱତଃ ନିଃସୃତ । ଫଳରେ ଲେଖାଟି ଜୀବନ୍ତ ମନେହୁଏ । ଲେଖାରେ ଘଟଣା ଯାହା ଥାଉନା କାହିଁକି ଏହା ପାଠକଙ୍କୁ ଅନୁଭବୀ ବନାଇଦିଏ । ଅନ୍ୟ ଭାଷାରେ ଶବ୍ଦକାଠିନ୍ୟ ସଂଗୃହୀତ-ସଂଯୋଜନ କୃତ୍ରିମ ଭାବ ଥିବାର ଜଣାଇ ଦିଏ । ବେଳେ ବେଳେ ଖାପଛଡା ଲାଗେ । ହଜାଇଦିଏ ସ୍ୱତଃ ପ୍ରବୃତ ଭାବନାକୁ ଆଉ ସାଉଁଟି ଆଣେ କେତେ କେତେ ଅମୂଲ୍ୟ ମହାର୍ଘ୍ୟ ଅନ୍ତଃସାରହୀନ ଶବ୍ଦକୋଷକୁ । ଏଇ ତ ପାର୍ଥକ୍ୟ । ମାତୃଭାଷା ପାଇଁ ଚିନ୍ତନର ଆବଶ୍ୟକତା କମ୍ କିନ୍ତୁ ଅନ୍ୟ ଭାଷା ପାଇଁ ବହୁବିଧ । ଆପେ ଆପେ ବାହାରି ଆସୁଥିବା ଭାଷା ଆଉ ଯୋଡିଯାଡି ସୁନ୍ଦର କରାଯାଉଥିବା ଭାଷାରେ ପ୍ରଭେଦ ପରି । ନିଜ ଅନୁଭବରେ ଆଣି ପହଂଚାଇଦିଏ ମାତୃଭାଷାରେ ବର୍ଣ୍ଣନା, ପକ୍ଷାନ୍ତରେ ଅନ୍ୟଭାଷା ମନେହୁଏ ବହୁ ଜ୍ଞାନ ବା ଶବ୍ଦ ସମ୍ଭାରରେ ସୃଷ୍ଟି ପରି । ସତେ ଯେପରି କେବଳ ଆଳଙ୍କାରିକ ସଂଯୋଜନା । ପ୍ରାକୃତିକ କୃତିମତାରେ ପ୍ରଭେଦ ଭଳି ।

ମାତୃଭାଷାରେ ଯିଏ ସମୃଦ୍ଧ ସିଏ ଯେ କୌଣସି ଭାଷାରେ ମଧ୍ୟ ପ୍ରବୀଣ ହୋଇପାରେ । କିନ୍ତୁ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିଟି ଯେ ନିଜ ଭାଷାରେ ଦକ୍ଷ ଏହା ସଦା ସତ୍ୟ ହୋଇ ନ ପାରେ । ତେଣୁ ପ୍ରଥମେ ମାତୃଭାଷାରେ ଦକ୍ଷତା ହାସଲ ସହ ଇଂରାଜୀରେ ଜ୍ଞାନ ଅର୍ଜନ କଲେ ତାହା ଜୀବନ ପ୍ରଗତିରେ ସହାୟକ ହୋଇପାରିବ । ସମଗ୍ର ପୃଥିବୀର ଅଧିକାଂଶ ଦେଶରେ ନିଜକୁ ଆବଶ୍ୟକ ବେଳେ ଚଳିବାରେ ଯଥେଷ୍ଟ ସହାୟକ ହେବ । ଅଧିକ ଭାଷା ଜାଣିବାରେ ବାଧକ ଭାବନା ନ ରହୁ । ପ୍ରାୟ ସାଧାରଣ ବିଦେଶୀଙ୍କୁ ଦେଖିଲେ ଜାଣିହେବ ଯେ ସେମାନେ କିପରି ଅନର୍ଗଳ କଥା କହିପାରନ୍ତି ନିଜ ଭାଷାରେ । କହିଲା ବେଳେ ତାଙ୍କର ଭାବନା ୈହିକ ଭାବଭଙ୍ଗୀରେ ସ୍ୱତଃ ପରିସ୍ଫୁଟିତ ହେଉଥାଏ । ତୁଣ୍ଡରୁ ବାହାରି ଚାଲିଥାଏ ଅବିରଳ ତାଙ୍କ କଥିତ ମାତୃଭାଷା । ସେ ଜ୍ଞାନୀ ହେଉ । ଅଜ୍ଞାନ । କାଳିଦାସଙ୍କର ‘କାତରେ କବିତା କୃତ’ ମନକୁ ଆସେ । ପ୍ରତ୍ୟେକ ମନୁଷ୍ୟ ଯେତେବେଳେ ଦୁଃଖରେ ଭାଙ୍ଗିପଡେ ଆପେ ଆପେ ବାହାରିପଡେ ତା’ର ମାତୃଭାଷା । କବି ନ ହୋଇ କବିତା ସୃଷ୍ଟି କରେ । ଭୁଲିଯାଏ ସାହିତ୍ୟକୁ । ସୁସଜ୍ଜିତ ଭାଷା । ତୁଣ୍ଡ ଆପେ ଖୋଲି ହୋଇଯାଏ ନିଜର ମାତୃଭାଷାର ନିଚ୍ଛକ ଏକାନ୍ତ ଭାବନା ନେଇ । ମାତୃଭୂମି ପରି ମାତୃଭାଷାର ଆକର୍ଷଣ ଅଲଂଘ୍ୟ । ଅନ୍ୟ ଭାଷାଭାଷୀ ରାଜ୍ୟରେ ଥିବାବେଳେ ନିଜ ଭାଷାଭାଷୀ ଲୋକଙ୍କୁ ଦେଖିଲେ, ମିଳିବାକୁ କେବଳ ଇଚ୍ଛା ହୁଏନି ବରଂ ଇଚ୍ଛା ହୁଏ ଦୁଇପଦ ନିଜଭାଷାରେ କଥା ହେବାକୁ । ଆତ୍ମୀୟତା ବଢେ । ଗର୍ବ ଆସେ । ଭାଷା ମମତା ସୃଷ୍ଟିକରେ । ଆମେ ଭାରତୀୟ ହିସାବରେ ଆଜିକା ଦୁନିଆରେ ଟିକେ ଭାଷା ଉପରେ ଆଲୋକପାତ କରିବା । ଆମ ଦେଶ ବିବିଧ ଭାଷାରେ ସମୃଦ୍ଧ । ସମୟ ବଦଳୁଛି । ଆଗପରି ଆଉ କେବଳ ଇଂରାଜୀ ଭାଷା ଆମର ସର୍ବୋଚ୍ଚ ସରକାରୀ ଚାକିରି ପାଇଁ ସୀମିତ ନାହିଁ । ବଦଳିଗଲାଣି ପରୀକ୍ଷା ପଦ୍ଧତି । ବହୁ ଭାରତୀୟ ଭାଷାରେ ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି ହେଲାଣି । ଇଂରାଜୀରେ ଅନର୍ଗଳ କହିପାରୁଥିବା ଲୋକ ଯେ ଏକମାତ୍ର ଯୋଗ୍ୟ ଏ ବିଚାର ଆଉ ଆମ ସରକାରଙ୍କର ନାହିଁ । ପ୍ରଶାସନ ପାଇଁ ସ୍ଥାନୀୟ ଭାଷା ଜାଣିଥିବା ଲୋକ ଅଧିକ ଉପଯୁକ୍ତ ମନେହେଲେଣି । ଏପରି କି ନିଜ ମାତୃଭାଷାରେ ପରୀକ୍ଷା ଦେଇ ପିଲେ ଏବେ ଅଧିକ ଆକର୍ଷଣୀୟ ହୋଇ ପାରୁଛନ୍ତି । ହିନ୍ଦୀ, ତାମିଲ, ଓଡ଼ିଆ ଇତ୍ୟାଦି ବିଭିନ୍ନ ଭାରତୀୟ ଭାଷା ବ୍ୟବହାର କରି ବହୁ ପରୀକ୍ଷାର୍ଥୀ ସର୍ବୋଚ୍ଚ ପଦବୀକୁ ଆଗରୁ ଅକ୍ତିଆର କରୁଥିବା କେବଳ ଇଂରାଜୀ ପଢୁଆ ବାବୁଙ୍କ ଆୟତରୁ କିଛିଟା ଛଡ଼ାଇ ନେଲେଣି । ତାଙ୍କୁ ପ୍ରାଧାନ୍ୟ ଦେବାର ଯଥାର୍ଥତା ବି ଅଛି । କାରଣ ସେମାନେ ହେବେ ବିଭିନ୍ନ ଭାରତୀୟ ଭାଷା ବ୍ୟବହାର ହେଉଥିବା ରାଜ୍ୟର ପ୍ରଶାସକ । ନିଜ ଭାଷାରେ ନିଜ ରାଜ୍ୟରେ ପ୍ରଶାସକ ଯେତେ ଗ୍ରହଣୀୟ ହୋଇପାରିବେ, ଅନ୍ୟଭାଷୀ ସେତେ ହୋଇ ପାରିବେ କି? ସେମାନେ ନିର୍ଭର କରିବେ ଅନ୍ୟ ଉପରେ ଯେ ତାଙ୍କୁ ସେଠାକାର ଭାଷାରେ ବୁଝେଇ ପାରିବେ, ଯାହାକି ବେଳେବେଳେ ପ୍ରକୃତ ସମସ୍ୟାକୁ ଟିକିନିଖି ଜଣାଇବାରେ ସକ୍ଷମ ହୋଇ ନ ପାରେ ।

ଇଚ୍ଛାକୃତ ବିଷୟରେ ଓଡ଼ିଆ ନେଇ ମଧ୍ୟ ଭାରତୀୟ ପ୍ରଶାସନ ସେବା ପାଇବା ଏବେ ଦେଖାଗଲାଣି । ତାମିଲ ଭାଷାରେ କହୁଥିବା ଜଣେ ମହିଳା ଏବଂ ହିନ୍ଦୀ ଭାଷୀ ବହୁ ପୁରୁଷ ବିନା ଇଂରାଜୀରେ ପ୍ରଶାସନ ସେବାରେ ତାଙ୍କ ଦକ୍ଷତା ବଳରେ ବଛାଯାଇ ପାରୁଛନ୍ତି । ମାତୃଭାଷା ଯେ କେବଳ ଏକ ସାଧାରଣ ଭାଷା ତାହା ନୁହେଁ, ତାହା ଆପଣେଇନେବା ଏବଂ ବୌଦ୍ଧିକ ବିକାଶକୁ ବୁଝାମଣା ଭିତିରେ ଆଗେଇ ନେବାର ଏକ ପ୍ରକୃଷ୍ଟ ମାଧ୍ୟମ । ମାତୃଭାଷା ନିଜର ଅନ୍ତର୍ନିହିତ ଭାବନା ପ୍ରକାଶରେ ନିର୍ମଳତା ରଖେ ।
ମାତୃଭାଷା ଶିକ୍ଷାଭିତିକ ସନ୍ତୋଷଜନକ କୃତିତ୍ୱ ପାଇଁ ଗୋଟିଏ ଉପାଦେୟ ତଥ୍ୟ ଏବଂ ପଥ୍ୟ । ଏହା ଦୈହିକ ଭାବଭଙ୍ଗୀର ସୁପ୍ରକାଶ୍ୟ, ବାର୍ତାଳାପରେ ସୁସ୍ପଷ୍ଟ । ବୁଦ୍ଧିପ୍ରଦ ବିଷୟବସ୍ତୁର ପ୍ରସ୍ତୁତି ତଥା ସ୍ପଷ୍ଟ ତଥ୍ୟ ଉପସ୍ଥାପନା ସହ ଧ୍ୱନି ବିଜ୍ଞାନ (ଫୋନେଟିକ୍ସ)ର ଅସଲି ପରିପ୍ରକାଶ ପାଇଁ ଗୋଟିଏ ଗୋଟିଏ ଜୀବନ୍ତ ଉପାଦାନ । ମାତୃଭାଷା ପ୍ରତ୍ୟେକ ବ୍ୟକ୍ତିର ଅସ୍ମିତାର ପ୍ରଥମ ପରିଚୟ ।