ଦୀପିକାଙ୍କର ଉଚ୍ଚାଟନ ମନ୍ତ୍ରରେ ହିନ୍ଦୁ ମହାସଭା ଅଥୟ

ବ୍ରହ୍ମ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡକରା

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପିନ୍ଧା ଦୃଶ୍ୟକୁ ଦେଖିବା ପରଠାରୁ ହିନ୍ଦୁ ମହାସଭାର ବ୍ରହ୍ମଚର୍ଯ୍ୟ ବ୍ରତ ଭାଙ୍ଗିଗଲାଣି । ପ୍ରଧାନମନ୍ତ୍ରୀ ମୋଦୀ କିଛି ଗୋଟାଏ ବାଟ କରନ୍ତୁ; ନଚେତ୍‌ ହିନ୍ଦୁ ମହାସଭା କାହାକୁ ମୁହଁ ଦେଖାଇବା ସ୍ଥିତିରେ ରହି ପାରିବନି ।

ଶାହରୁଖ ଓ ଦୀପିକା ଅଭିନୀତ ‘ପଠାନ୍‌’ରେ ଦୀପିକାଙ୍କ ଗେରୁଆ ବିକିନି ପିନ୍ଧା ସାଙ୍ଗକୁ ‘ବେଶର୍ମ ରଙ୍ଗ’ ଗୀତଟି ହିନ୍ଦୁ ମହାସଭାକୁ ବଡ଼ ବାଧିଛି । ଚଳଚ୍ଚିତ୍ରଟିକୁ ପ୍ରେକ୍ଷାଳୟରେ ଚଲାଇ ନଦେବା ପାଇଁ କିଛି ରାଜ୍ୟ ସରକାର ଚେତାବନୀ କରିଛନ୍ତି । ଗେରୁଆ ରଙ୍ଗର କପଡ଼ା ପିନ୍ଧି ଦୀପିକା ଶାହରୁଖଙ୍କ ସହିତ ଯୋଉ ପୋଜ୍‌ ଦେଇଛନ୍ତି; ସେଥିରେ ହିନ୍ଦୁ ମହାସଭାର ସଭ୍ୟମାନେ ନିଜକୁ ନିୟନ୍ତ୍ରଣ ଭିତରେ ରଖି ପାରୁନାହାନ୍ତି । ପରିଣାମ ସ୍ୱରୂପ ‘ପଠାନ୍‌’ ମୁକ୍ତିଲାଭ ପୂର୍ବରୁ ତୀବ୍ର ପ୍ରତିବାଦର ସମ୍ମୁଖୀନ ହେଲାଣି ।

ଅନ୍ୟ ରଙ୍ଗ ଭଳି ଗେରୁଆ ରଙ୍ଗ ଗୋଟିଏ । ସେହି ରଙ୍ଗରେ ତିଆରି ଶାଢ଼ୀ, ଚଡ଼ି, ଗେଞ୍ଜି, କମିଜ, ବିକିନିଗୁଡ଼ିକ ପିନ୍ଧିବା ଅଧିକାରକୁ ହିନ୍ଦୁ ମହାସଭା ହଜମ କରିପାରୁନି କ’ଣ ପାଇଁ? ବ୍ୟବସାୟିକ ଭିତିରେ ଗେରୁଆ ରଙ୍ଗର କପଡ଼ା ପିନ୍ଧି ଗରମା ଗରମ ସିନ୍‌ ଦେଖାଇବା ଉପରେ ସରକାରଙ୍କ ସେନ୍‌ସର୍‌ ବୋର୍ଡ କଇଂଚି ଚଲାଉ । ହିନ୍ଦୁ ମହାସଭା ପାଟିତୁଣ୍ଡ କରିବା କ’ଣ ଦରକାର ।
ଗେରୁଆ ରଙ୍ଗକୁ ହିନ୍ଦୁ ମହାସଭା ନିଜର ଡ୍ରେସ୍‌ କୋଡ୍‌ ଭାବେ ଘୋଷଣା କରିଦେବା ଉଚିତ ଯାହା ଫଳରେ ଅଭିନେତା ଅଭିନେତ୍ରୀ କ’ଣ; କୌଣସି ସାଧାରଣ ଲୋକମାନେ ମଧ୍ୟ ଗେରୁଆ ରଙ୍ଗ ସଉକ ରଖିବେ ନାହିଁ । ହିନ୍ଦୁ ମହାସଭା ଗେରୁଆ ରଙ୍ଗକୁ ଡ୍ରେସ୍‌ କୋଡ୍‌ ଘୋଷଣା କରିବା ଫଳରେ କେବଳ ସାଧୁସନ୍ଥମାନେ ସେଇ ରଙ୍ଗକୁ ବ୍ୟବହାର କରିପାରିବେ ଠିକ୍‌ ଯେମିତି ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଡ୍ରେସ୍‌ କୋଡ୍‌ ମୁତାବକ ପୋଷାକ ପରିଚ୍ଛଦ ପିନ୍ଧୁଛନ୍ତି ।

କଥା ଉଠିଛି ଶାହରୁଖଙ୍କ ‘ପଠାନ୍‌’ରେ ଦୀପିକାଙ୍କ ଗେରୁଆ ବିକିନି ଦୃଶ୍ୟକୁ ନେଇ । ହିନ୍ଦୁ ସମାଜକୁ ‘ପଠାନ୍‌’ ଦଦେଖିବା ପାଇଁ ଆହ୍ୱାନ ଦିଆଯାଇଛି । ଦୀପିକାଙ୍କ ବିକିନି ପିନ୍ଧା ଦୃଶ୍ୟକୁ ଚଳଚ୍ଚିତ୍ରରୁ ବାଦ ଦେବାକୁ ଦାବି ଉଠିଲାଣି । ‘ମୂଳରୁ ମାରିଲେ ଯିବ ସରି’ ହିନ୍ଦୁ ମହାସଭା ରାତାରାତି ଗେରୁଆ ରଙ୍ଗକୁ ଧାର୍ମିକ ସଂଗଠନ ପାଇଁ ପେଟେଂଟ କରିଦେଉ । ବାସ୍‌ ‘ପଠାନ’ରେ ଆଉ ରହିବନି ‘ବେଶର୍ମ ରଙ୍ଗ’ ଗୀତ । ହିନ୍ଦୁ ମହାସଭାର ଇଜ୍ଜତ ରହିଯିବ ।