ଠାକୁର ଘରେ କିଏ? ମୁଁ କଦଳୀ ଖାଇନି!

ବନ୍ଦେ ଭାରତ’ର ଲଗାତର ନାକ ଫାଟୁଛି

ନୂଆଦିଲ୍ଲୀ: ସଂସଦର ଅଧିବେଶନରେ ରେଳମନ୍ତ୍ରୀଙ୍କୁ ପଚରା ଯାଉଥିବା ପ୍ରଶ୍ନର ସନ୍ତୋଷଜନକ ଉତର ମିଳୁନି । ଠାକୁର ଘରେ କିଏ ପଚାରିଲେ, ଉତର ମିଳୁଛି, ମୁଁ କଦଳୀ ଖାଇନି । ଭାରତର ଦ୍ରୁତତମ ରେଳଗାଡ଼ି ‘ବନ୍ଦେ ଭାରତ’ ଲଗାତର ଦୁର୍ଘଟଣାର ଶିକାର ହେଉଛି; ଆଉ କିଛି ନଷ୍ଟ ହେଉ କି ନହେଉ, ନାକ ଫାଟୁଛି । ନାକ’ରେ ବ୍ୟବହୃତ କଂଚାମାଲ ନିମ୍ନମାନର କି? ମଇଁଷି ମାଡ଼ ସହିବା ପାଇଁ ‘ନାକ’ ପାଖରେ ଦମ୍‌ ନାହିଁ କି? ଏ ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ ଯାହା ଉତର ଦେଇଛନ୍ତି; ସେଥିରୁ ଜଣାପଡୁଛି, ବନ୍ଦେ ଭାରତ ଟ୍ରେନ୍‌ ନାକଟିର ଜନ୍ମ କେବଳ ଫାଟିବା ପାଇଁ । ରେଳମନ୍ତ୍ରୀ କହିଛନ୍ତି, ନାକ’ରେ ବ୍ୟବହୃତ କଂଚାମାଲ ବେଶ ଗୁଣାତ୍ମକ ମାନର । ନାକ’ ଯୋଗାଇ ଆସୁଥିବା ସଂସ୍ଥାଟିର ସତୀତ୍ୱ ଉପରେ ସନ୍ଦେହ କରିବା ଅକ୍ଷମଣୀୟ ଅପରାଧ ।

ବିରୋଧୀ ସାଂସଦମାନଙ୍କର ପ୍ରଶ୍ନର ଜବାବ ଏଭଳି ଢଙ୍ଗରେ ଦିଆଯାଉଥିଲା ଯାହା ମୂଳ ପ୍ରଶ୍ନର ଜବାବକୁ ସଂପୂର୍ଣ୍ଣ ଏଡ଼ାଇ ଯାଉଥିଲା । ବନ୍ଦେ ଭାରତ’ ଟ୍ରେନର ବାରମ୍ବାର ନାକ ଫାଟିବା ଘଟଣାରେ ସାରାଦେଶ ଉଦ୍‌ବେଗ ପ୍ରକାଶ କରିଥିଲା ବେଳେ ସାଂସଦ ଏ ରାଜାଙ୍କ କାରଣ ଦର୍ଶାଅ’ ପ୍ରଶ୍ନର ଜବାବରେ ରେଳମନ୍ତ୍ରୀ କହିଲେ, ଟ୍ରେନଟିର ଅଗ୍ରଭାଗ ସବୁଦିଗରୁ ସୁଦୃଢ଼ । ମାତ୍ର କେଜାଣି କାହିଁକି ଦୁର୍ଘଟଣାର ସମ୍ମୁଖୀନ ହେଲେ ଭାଙ୍ଗିଯାଉଛି ।

ଦୁର୍ଘଟଣା ହାର କମାଇବା ପାଇଁ ରେଳ ମନ୍ତ୍ରଣାଳୟ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି । ଆଗାମୀ ଦିନରେ ତା’ର ପ୍ରଭାବ ଦେଖିବାକୁ ମିଳିବ । ୨୦୨୨ ଜୁନରୁ ଚଳାଚଳ କରୁଥିବା ବନ୍ଦେ ଭାରତ’ ଟ୍ରେନଟି ଥରୁଟିଏ ବିୟରିଂ ତ୍ରୁଟି କାରଣରୁ ଅଟକି ରହିଥିଲା । କିନ୍ତୁ ଟ୍ରାକ୍‌ ଉପରେ ପଶୁ ସହିତ ଦୁର୍ଘଟଣା ମାମଲା ପ୍ରାୟ ୬୮ ଛୁଇଁଲାଣି । ପ୍ରତିଥର ଟ୍ରେନଟିର ସାମ୍ନା ଅଂଶଟି ଭାଙ୍ଗିଯାଉଛି । ସୁନ୍ଦରୀ ଟ୍ରେନଟିର ସମ୍ମୁଖ ଭାଗଟି ସବୁବେଳେ ଭଙ୍ଗା ରହୁଥିବାର ଭାରତର ନିଶ କଟିଯାଉଛି ।