ମଙ୍ଗଳବାର ଦିନ ବାରବାଟୀକୁ ନଚାଇବେ ଗାୟିକା ନେହା କକ୍କର

କଟକ: ବଲିଉଡ୍‌ ଗାୟିକା ନେହା କକ୍କର ଓ ତାଙ୍କ ଟିମ ମଙ୍ଗଳବାର ଦିନ ସନ୍ଧ୍ୟାରେ ବାରବାଟି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ । ନେହାଙ୍କ ଗୀତର ତାଳେ ତାଳେ ନାଚିବା ପାଇଁ ୨୦ ହଜାର ନାଚଗୀତ ପ୍ରେମୀ ପୁରା ତୟାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାରବାଟୀ ଷ୍ଟାଡ଼ିୟମର ନବକଳେବର ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସେହି ଅବସରରେ ମୁଖ୍ୟମନ୍ତ୍ରୀ ଇଂଟିଗ୍ରେଟେଡ୍‌ ସ୍ପୋର୍ସ କଂପ୍ଲେକ୍ସ ଓ ୩୦ଟି ଜିଲ୍ଲାରେ ୪୧ଟି କ୍ରିକେଟ୍‌ ଏକାଡେମୀର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି ।ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଉଭୟ ରାଜ୍ୟ ସରକାର ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ମିଳିତ ଭାବେ ନେହାଙ୍କ ଟିମକୁ ଆମନ୍ତ୍ରଣ କରିଛନ୍ତି । ପ୍ରଥମେ ଆଗଧାଡ଼ିର ଅତିଥିଙ୍କୁ ଗ୍ୟାଲେରୀରେ ବସାଇ ଦିଆଯିବା ପରେ ପରେ ସାଧାରଣ ଲୋକଙ୍କୁ ଷ୍ଟାଡ଼ିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।