ଚଳଚ୍ଚିତ୍ର ଦୁନିଆର ପାହାଡ଼: ମିଥୁନ ଚକ୍ରବର୍ତୀ

ପାହାଡ଼ ପରି ଅବିଚଳିତ । ଦୁଃଖ, ଯନ୍ତ୍ରଣା, କ୍ଷୁଧା, ଗାଳି, ଅପମାନ । କାହା ଚାପ ନିକଟରେ ଦବି ଯାଇନାହାନ୍ତି । କୋଇ ଶକ୍‌…..୧୯୮୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଲାମୀ’ର ଏହି ସଂଳାପଟି ଆଜି ମଧ୍ୟ ରୋମାଂଚ ଭରିଦିଏ । ଚଳଚ୍ଚିତ୍ରରେ କୋଇ ଶକ୍‌…. କହି ଅଭିନେତା ମିଥୁନ ଚକ୍ରବର୍ତୀ ପ୍ରତିପକ୍ଷକୁ ଠିକଣା ଜବାବ ଦେଇଛନ୍ତି । ଦର୍ଶକଙ୍କ ମନରେ ତକିୟା-କଲାମ ଆଜି ମଧ୍ୟ ଲୋକପ୍ରିୟ । ବଲିଉଡ୍‌ରେ ଡିସ୍କୋ ଡ୍ୟାନ୍ସର ଓ ଦାଦା ନାମରେ ପରିଚିତ ମିଥୁନ ଦା’ ଏବେ ୭୩ ବର୍ଷରେ ପହଂଚିଛନ୍ତି ।

ସ୍ୱଭାବରେ ବିଦ୍ରୋହୀ ଚିନ୍ତାଧାରା । ଯୌବନରେ ପହଂଚିବା ମାତ୍ରେ ନକ୍ସଲୀ ବିଚାରକୁ ଆଦରିନେଲେ । ନକ୍ସଲୀ ସଂଗଠନରେ ସାମିଲ ହେଲେ । ମାତ୍ର ବଡ଼ଭାଇଙ୍କ ଆକସ୍ମିକ ମୃତ୍ୟୁ ତାଙ୍କୁ ନକ୍‌ସଲୀ ଜୀବନରୁ ସାଧାରଣ ଜୀବନକୁ ଫେରାଇ ଆଣିଲା । ମିଥୁନ ଦା’ ହାତଗଣତି ଅଭିନେତାଙ୍କ ତାଲିକାରେ ଅଛନ୍ତି ଯୋଉମାନଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଛି । ଶ୍ୟାମଳ ରଂଗ କାରଣରୁ ବହୁ ପ୍ରଯୋଜକ ନିର୍ଦ୍ଦେଶକ ତାଙ୍କୁ ଅଭିନୟ ସୁଯୋଗ ଦେବାକୁ କୁଣ୍ଠାବୋଧ କରୁଥିଲେ । ପ୍ରଥମ ବିବାହ ମାତ୍ର ଚାରିମାସ ଗତି କରିଥିଲା । ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହିତ ଘନିଷ୍ଠ ସଂପର୍କ ରଖି ସେ ବେଶ କିଛିଦିନ ଚର୍ଚ୍ଚାରେ ଥିଲେ । ଜୀବନର ଉଠାଣି ଗଡ଼ାଣି ରାସ୍ତାରେ ଗତି କଲାବେଳେ କେବେ ହାର ମାନିନାହାନ୍ତି ।

ଆଜି ମିଥୁନଙ୍କ ପାଖରେ ଏକାଧିକ ହୋଟେଲ, ବହୁ ରେସ୍ତୋରାଁ, ଅନେକ ବଙ୍ଗଳା ଓ କଟେଜ୍‌ ଅଛି । ୩୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । କୁକୁର ପାଳିବା ତାଙ୍କର ଏକ ସଉକ । ୧୧୬ଟି କୁକୁର ତାଙ୍କ ପାଖରେ ଅଛି ।

ମିଥୁନଙ୍କର ପିଲାଦିନର ନାମ ଗୌରାଙ୍ଗ

୧୯୫୦ ଜୁନ ୧୬ ତାରିଖରେ କୋଲକାତାରେ ଜନ୍ମିତ ମିଥୁନଙ୍କର ପ୍ରକୃତ ନାମ ଗୌରାଙ୍ଗ । ଦୁଇଭାଇଙ୍କ ଭିତରୁ ସେ ସାନ । ସ୍କୁଲ ପଢ଼ା ପରେ କେମେଷ୍ଟ୍ରିରେ ସ୍ନାତକୋତର ଲାଭ କଲେ । ସେତେବେଳେ ପଶ୍ଚିମବଙ୍ଗରେ ନକ୍ସଲବାଦ ଚରମ ସ୍ଥାନରେ ଥିଲା । କିଛି ଅପରାଧପ୍ରବଣ ଲୋକଙ୍କ କଥାରେ ପଡ଼ି ମିଥୁନ ନକ୍ସଲ ସଂଗଠନରେ ଯୋଗଦାନ କଲେ । କୁଖ୍ୟାତ ନକ୍ସଲ ନେତା ରବି ରଂଜନଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା ।

ନକ୍ସଲୀ ନେତାଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ କରାଯିବାରୁ ମିଥୁନ ତାଙ୍କର ସାଙ୍ଗସାଥୀଙ୍କ ସହିତ ବେଶ କିଛିମାସ ପାଇଁ ଅଜ୍ଞାତବାସ କଲେ । ବିଜୁଳି ସଂସ୍ପର୍ଶରେ ଆସି ତାଙ୍କର ବଡ଼ଭାଇ ପ୍ରାଣ ହରାଇଲେ । ପରିବାର ପ୍ରତିପୋଷଣ ଭାର ଏବେ ମିଥୁନଙ୍କ ଉପରେ ପଡ଼ିଲା । ଜୀବନକୁ ପାଣି ଛଡ଼ାଇ ମିଥୁନ ନକ୍ସଲ ସଂଗଠନ ସହ ସଂପର୍କ କାଟିଲେ ଓ ପରିବାରକୁ ଆଦରିନେଲେ ।

ମୁମ୍ବାଇ ଫୁଟପାଥରେ ଭୋକିଲା ପେଟରେ ରାତି କାଟିଛନ୍ତି ମିଥୁନ
ଅଭିନୟ ପ୍ରତି ତାଙ୍କର ରୁଚି ଥିବାରୁ ସେ ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ରେ ନାମ ଲେଖାଇଲେ । ପଢ଼ା ସରିଲା, ମାତ୍ର କାମ ମିଳିଲାନି । ନାୟକ ହେବା ଲକ୍ଷ୍ୟରେ ମିଥୁନ ମୁମ୍ବାଇ ଯାଇ ବହୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେଲେ । ସବୁ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡ଼ିଲା । ବିନା ଚାକିରିରେ ମୁମ୍ବାଇ ଭଳି ବଡ଼ ସହରରେ ଦିନ କାଟିବା ବଡ଼ ମୁସ୍କିଲ ଥିଲା । ଫଳରେ ଅନେକ ଦିନ ତାଙ୍କୁ ଖାଲି ପେଟରେ ରହିବାକୁ ପଡ଼ିଥିଲା ।
ଭୋକିଲା ପେଟରେ ତାଙ୍କୁ ଫୁଟପାଥରେ ଶୋଇବାକୁ ପଡିଥିଲା । କାନ୍ଦି କାନ୍ଦି ସେ ଶୋଇ ଯାଉଥିଲେ । ରାତି ପାହିଲେ ତାଙ୍କୁ ଖାଇବାକୁ ମିଳିବ କି ନା ଭାବିବାକୁ ପଡୁଥିଲା । ରାତି ପାହିଲେ ପୁଣି କୋଉଠି ଶୋଇବେ, ଭାବିବାକୁ ପଡୁଥିଲା । ଚାଲିଚାଲି ଯୋଉଠି ରାତି ହୋଇଯାଉଥିଲା, ସେଇଠି ଶୋଇ ପଡୁଥିଲେ ମିଥୁନ ।

ନାୟକ ହେବାର ଆଶା ଥିଲା, ମାତ୍ର ଘଟଣା ଚକ୍ରରେ ପଡ଼ି ତାଙ୍କୁ ସେତେବେଳର ଲୋକପ୍ରିୟ ଅଭିନେତ୍ରୀ ହେଲେନଙ୍କର ସହକାରୀ ହେବାର ସୁଯୋଗ ମିଳିଗଲା । ହେଲେନଙ୍କ ସହକାରୀ ହେବା ପରେ ମିଥୁନ ତାଙ୍କର ନାମ ବଦଳାଇ ରେଜ ରଖିଲେ । ମିଥୁନଙ୍କୁ ହେଲେନଙ୍କ ସହିତ ବହୁ ଚଳଚ୍ଚିତ୍ର ସେଟକୁ ଯିବାକୁ ପଡୁଥିଲା । ବହୁ ଚଳଚ୍ଚିତ୍ରରେ ତାଙ୍କୁ ଛୋଟଛୋଟ ଭୂମିକା ମିଳିଲା । ଗୋଟିଏ ଚଳଚ୍ଚିତ୍ରରେ ନାୟକଙ୍କ ପାଇଁ ମିଥୁନଙ୍କୁ ଡମି ଅଭିନୟ କରିବାକୁ ପଡ଼ିଥିଲା ।

ସଲମାନଙ୍କ ବାପାଙ୍କୁ ଆଜି ମଧ୍ୟ ଭୁଲିନାହାନ୍ତି ମିଥୁନ

ମୁମ୍ବାଇରେ ଗୋଟିଏ ଟେଲର ଦୋକାନ ଥିଲା ଯାହାର ନାମ ଥିଲା ‘ପ୍ଲେବଏ’ । ମିଥୁନ ତାଙ୍କର ଅଧିକାଂଶ ପୋଷାକ ସେହି ଦୋକାନରେ ତିଆରି କରୁଥିଲେ । ଦିନେ ମିଥୁନ ସେହି ଦୋକାନରେ ପହଂଚି ଦେଖିଲେ ଲୋକପ୍ରିୟ ଚଳଚ୍ଚିତ୍ର ଲେଖକ ସଲିମ ସାହେବ ଠିଆ ହୋଇଛନ୍ତି । ମିଥୁନ ଯାଇ ସଲିମଙ୍କ ନିକଟରେ ଠିଆ ହେଲେ । ବେଶ କିଛି ସମୟ ପାଇଁ ମିଥୁନଙ୍କୁ ଦେଖି ସଲିମ କହିଲେ, ତୁମ ଚେହେରାରେ ଗୋଟିଏ ଚମକ ଅଛି । ତୁମେ ଚଳଚ୍ଚିତ୍ରରେ କାମ କରିବା ଉଚିତ । ମିଥୁନ କହିଲେ, ମୁଁ ପୁଣେରୁ ଅଭିନୟ ଶିକ୍ଷା ଲାଭ କରିଛି । ମୁମ୍ବାଇରେ କାମ ଖୋଜୁଛି ।

ଏହା ଶୁଣି ସଲିମ ସାହେବ ତାଙ୍କୁ ୟଶ ଚୋପ୍ରାଙ୍କ ଫୋନ୍‌ ନମ୍ବର ଦେଲେ ଓ କହିଲେ, ୟାଙ୍କ ଅଫିସକୁ ଯାଇ ସାକ୍ଷାତ କର । କାମ ମିଳି ଯାଇପାରେ ।
ୟଶ ‘ତ୍ରିଶୁଲ’ ଚଳଚ୍ଚିତ୍ର ପାଇଁ ନାୟକ ଭୂମିକାରେ ଅମିତାଭଙ୍କୁ ନେଇ ସାରିଥିଲେ । ପୁନମଙ୍କ ବିପକ୍ଷ ଚରିତ୍ର ପାଇଁ ଅଭିନେତା ଖୋଜୁଥିଲେ । ମିଥୁନ ୟଶଙ୍କ ଅଫିସରେ ପହଂଚି ଜାଣିବାକୁ ପାଇଲେ ଯେ ପୁନମଙ୍କ ବିପକ୍ଷରେ ସଚିନଙ୍କୁ ବଛା ସରିଲାଣି । ମିଥୁନ ନିରାଶ ହୋଇଗଲେ । ମାତ୍ର ସଲିମଙ୍କ ଭଳି ଜଣେ ଲୋକପ୍ରିୟ ବ୍ୟକ୍ତି ଯେ ମୁସ୍କିଲ ସମୟରେ ତାଙ୍କ ପ୍ରତି ସହାୟତା କରିବାକୁ ଆଗେଇ ଆସିଥିଲେ । ସେହିକଥା ଭାବି ଆଜି ମଧ୍ୟ ମିଥୁନ ସଲିମଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି ।

ପ୍ରଥମ ଅଭିନୀତ ‘ମୃଗୟା’ରୁ ଜାତୀୟ ପୁରସ୍କାର

ଏକ ସାକ୍ଷାତକାରରେ ମିଥୁନ କହିଥିଲେ, ଚଳଚ୍ଚିତ୍ର ଦୁନିଆରେ ମୋତେ ଯୋଉ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି । ଆଉ କେହି ସେଭଳି କଷ୍ଟ ଯନ୍ତ୍ରଣା ନଭୋଗନ୍ତୁ । ଶରୀର ରଙ୍ଗ ଶ୍ୟାମଳ କାରଣରୁ ତାଙ୍କୁ ଚଳଚ୍ଚିତ୍ର ଜଗତରେ ବହୁବାର ତାତ୍ସଲ୍ୟ ଶୁଣିବାକୁ ପଡ଼ିଛି । ମୃଗୟା’ ଚଳଚ୍ଚିତ୍ରର ନାୟକ ଭାବେ ନିର୍ଦ୍ଦେଶକ ମୃଣାଳ ସେନ୍‌ ମିଥୁନଙ୍କୁ ସୁଯୋଗ ଦେଲେ । ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରି ମିଥୁନ ଶ୍ରେଷ୍ଠ ନାୟକ ଭାବେ ଜାତୀୟ ପୁରସ୍କାର ଲାଭ କଲେ । ୧୯୭୮ରେ ‘ରକ୍ଷକ’ ଓ ୧୯୭୯ରେ ‘ସୁରକ୍ଷା’ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ମିଥୁନ ବଲିଉଡରେ ନାୟକ ଭାବେ ଆସ୍ଥାନ ଜମାଇଲେ ।

‘ଫୁଲ ଖିଲେ ହେଁ ଗୁଲଶନ-ଗୁଲଶନ’ ଚଳଚ୍ଚିତ୍ରରେ ଋଷି କପୁର ଓ ମିଥୁନ କାମ କରୁଥିଲେ । ଶୁଟିଂ ଆରମ୍ଭରୁ ନିର୍ଦ୍ଦେଶକ ସିକନ୍ଦର ଖାନ୍ନା ମିଥୁନଙ୍କୁ ପଚାରିଲେ, ତମେ କାର ଚଲାଇ ଜାଣିଛ? ହାତରୁ ଚଳଚ୍ଚିତ୍ର ଖସିଯିବାର ଆଶଙ୍କା କରି ମିଥୁନ କହି ପକାଇଲେ, ‘ହଁ କାର ଚାଳନା ଜାଣିଛି ।’
ପାଟିରୁ ମିଛ ବାହାରି ଯାଇଛି ମାନେ ତାକୁ ସତ ପ୍ରମାଣିତ କରିବାକୁ ପଡ଼ିବ । ଶୁଟିଂ ଆରମ୍ଭ ହେଲା, ମିଥୁନଙ୍କୁ ମାମୁଲି ଡ୍ରାଇଭିଂ କରିବାକୁ ନଥିଲା । ଦ୍ରୁତଗତିରେ କାର ଚଲାଇ ଋଷି ଓ ମୁକରୀଙ୍କ ସାମ୍ନାରେ କାରକୁ ଧିମା କରିବାର ଥିଲା । ସିନ୍‌ ବିଷୟରେ ଶୁଣିବା ପରେ ମଧ୍ୟ ମିଥୁନ କହିଲେନି ଯେ ସେ କାର ଭଲ ଭାବେ ଚଳାଇବା ଜାଣନ୍ତି ନାହିଁ ।

ଆକ୍ସନ୍‌ ଶୁଣିବା ମାତ୍ରେ ମିଥୁନ ଦ୍ରୁତଗତିରେ ଗାଡ଼ି ଚଳାଇ ଋଷି ଓ ମୁକରିଙ୍କ ଆଡକୁ ମାଡ଼ିଗଲେ ଓ ହଠାତ୍‌ ଗାଡ଼ି ଅଟକାଇ ଦେଲେ । ଋଷିଙ୍କ ମୁହଁରେ କାର ବନେଟ୍‌ ବାଜିଗଲା ଓ ରକ୍ତ ବହିବା ଆରମ୍ଭ କଲା । ମିଥୁନଙ୍କ ମିଛ ଧରା ପଡ଼ିଗଲା । ବାସ୍‌ ଆରମ୍ଭ ହୋଇଗଲା ଗାଳି ବର୍ଷଣ । ମରଣ ମୁହଁରୁ ବଂଚିଗଲେ ଋଷି କପୁର । ସେଦିନର ସେହି ଘଟଣାକୁ ଭୁଲିନାହାନ୍ତି ମିଥୁନ ।

୧୦୦ କୋଟି ଟଙ୍କା ଆୟ କରିଥିଲା ‘ଡିସ୍କୋ ଡ୍ୟାନ୍ସର’

୧୯୭୯ରେ ମିଥୁନ ହେଲେନ ଲ୍ୟୁକଙ୍କୁ ବିବାହ କଲେ । ବିବାହଟି ମାତ୍ର ଚାରିମାସ ପାଇଁ ଠିକଠାକ ଥିଲା । ହେଲେନଙ୍କଠାରୁ ଅଲଗା ହେବାପରେ ମିଥୁନଙ୍କ ଜୀବନରେ ପ୍ରବେଶ କଲେ ଯୋଗିତା ବାଲୀ । ମିଥୁନଙ୍କର ତିନୋଟି ପୁଅ ମିମୋହ, ନମାଶୀ, ଉସମେହ ଅଛନ୍ତି । ଅଳିଆ ଗଦାରୁ ପାଇଥିବା ଝିଅଟିକୁ ମଧ୍ୟ ଆଦରି ନେଇଛନ୍ତି । ଝିଅଟିର ନାମ ଦିଶାନୀ ।

୧୯୮୩ରେ ମୁକ୍ତିଲାଭ କଲା ‘ଡିସ୍କୋ ଡ୍ୟାନ୍ସର’ । ମିଥୁନ ନାଚ ଶିଖି ନଥିଲେ । ମାତ୍ର ଚଳଚ୍ଚିତ୍ରର ସିନ୍‌କୁ ଦୃଷ୍ଟିରେ ରଖି ପାଦ ପକାଉ ପକାଉ ବନିଗଲେ ଡିସ୍କୋ ଡ୍ୟାନ୍ସର । ଉକ୍ତ ଚଳଚ୍ଚିତ୍ରଟି ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା । ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ଡିସ୍କୋ ଡ୍ୟାନ୍ସର’ ୧୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା ।

ତା’ପରେ ଆଉ ପଛକୁ ଅନାଇ ନାହାନ୍ତି ମିଥୁନ । ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦେଇ ସେ ବନିଗଲେ ମହାନାୟକ । ‘ଜାଗ ଉଠା ଇନସାନ’ ଚଳଚ୍ଚିତ୍ରରେ ଶ୍ରୀଦେବୀଙ୍କ ସହ ଅଭିନୟ କରୁକରୁ ତାଙ୍କ ପ୍ରେମରେ ପଡ଼ିଗଲେ ମିଥୁନ । ପ୍ରେମ ଏତେ ଆଗକୁ ବଢ଼ିଗଲା ଯେ ଦୁହେଁ ଗୋପନରେ ବିବାହ କରି ପକାଇଲେ । ଚଳଚ୍ଚିତ୍ର ଜଗତ ପଡ଼ିଲା ଉଠିଲା । ମାତ୍ର ଯୋଗିତା ବାଲୀଙ୍କ ଆତ୍ମହତ୍ୟା ଧମକରେ ମିଥୁନଙ୍କ ପ୍ରେମନିଶା ଛାଡ଼ିଗଲା । ଶ୍ରୀଦେବୀଙ୍କୁ ଅଲବିଦା କରି ମିଥୁନ ଫେରିଆସିଲେ ଯୋଗିତା ବାଲୀଙ୍କ ନିକଟକୁ ।

ଅଗ୍ନିପଥ’ ଚଳଚ୍ଚିତ୍ରରେ ଅମିତାଭଙ୍କ ସହିତ ଅଭିନୟ କରି ମିଥୁନ ଜଣେ ଉଚ୍ଚକୋଟୀର ଅଭିନେତା ବୋଲି ପ୍ରମାଣ କଲେ । ୭୩ ବର୍ଷ ବୟସରେ ମଧ୍ୟ ମିଥୁନ ଚଳଚଂଚଳ । ଜୀବନରେ ବହୁ ଘାତ ପ୍ରତିଘାତ ଦେଇ ତାଙ୍କୁ ଗତି କରିବାକୁ ପଡ଼ିଛି । ଉଟ୍ଟିର ସବୁଠାରୁ ବଡ଼ ହୋଟେଲ ମୋନାର୍କର ମାଲିକ ହେଉଛନ୍ତି ମିଥୁନ ଦା’ । ସଂଘର୍ଷର ଅନ୍ୟ ନାମ ମିଥୁନ ଦା’ । ସଫଳତାର ଅନ୍ୟ ନାମ ମିଥୁନ ଦା’ ।