କାହା ଇଛାରେ ପୁରୀ ଶ୍ରୀମନ୍ଦିରରେ ଟିକେଟ୍‌ ବ୍ୟବସ୍ଥା? ୧୯ରେ ନବଯୌବନ, ୨୦ରେ ରଥଯାତ୍ରା

Who wants to arrange tickets in Puri temple?

ପୁରୀ: କୁହାଯାଏ, ଶ୍ରୀମନ୍ଦିରରେ ଭେଦଭାବ ନାହିଁ । ଧନୀ-ଗରିବ, ବ୍ରାହ୍ମଣ-ଚଣ୍ଡାଳ ସବୁ ସମାନ । ମାତ୍ର ବିଜେଡି ସରକାରରେ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ଦର୍ଶନ-ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଦର୍ଶନର ନାମ ପାରମାଣିକ ଦର୍ଶନ । ଏହି ବ୍ୟବସ୍ଥାରେ ଧନୀ ଶ୍ରେଣୀର ଲୋକମାନେ ଆଗ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଖୋଦ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ଦର୍ଶନରୁ ମୋଟା ଅଙ୍କ ସଂଗ୍ରହ ପାଇଁ ଟିକେଟ୍‌ ବ୍ୟବସ୍ଥା କରିଛନ୍ତି । କିଛି ବଛାବଛା ସେବାୟତ ପରିବାର, ଉଚ୍ଚ ସରକାରୀ ଅଧିକାରୀ, ବ୍ୟବସାୟୀ, ଶିଳ୍ପପତି ଓ ସମ୍ଭ୍ରାନ୍ତ ପରିବାର ୧୯ ତାରିଖ ଦିନ ୧୦୦ ଟଙ୍କା ମୂଲ୍ୟର ଟିକେଟ୍‌ କିଣି ମହାପ୍ରଭୁଙ୍କର ପାରିମାଣିକ ଦର୍ଶନ କରିପାରିବେ ।

ମହାପ୍ରଭୁ ଜଗନ୍ନାଥ, ତାଙ୍କ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା କ୍ରମେ ସୁସ୍ଥ ହେଉଛନ୍ତି । ୧୯ ତାରିଖ ସକାଳ ୮ଟାରୁ ୯ ଯାଏ ଯାଏ ପାରମାଣିକ ଦର୍ଶନ ଅର୍ଥାତ୍‌ ସ୍ୱତନ୍ତ୍ର ଦର୍ଶନ । ଭକ୍ତମାନେ ୧୦୦ ଟଙ୍କା ମୂଲ୍ୟରେ ଟିକେଟ୍‌ କିଣି ତିନି ଠାକୁରଙ୍କର ଦର୍ଶନ କରିପାରିବେ । ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନେ ତିନିଠାକୁରଙ୍କର ନବଯୌବନ ବେଶ ଦର୍ଶନ କରିପାରିବେ । ୧୧ଟାରୁ ଦିନ ୨ ଯାଏ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି କାନ୍ତି କରାଯିବ । ସାଧାରଣ ଲୋକମାନେ ସେହି ସମୟରେ ଠାକୁରଙ୍କ ଦର୍ଶନ କରିପାରିବେନି ।

ରଥଯାତ୍ରା ପରିଚାଳନା ପାଇଁ ଅନ୍ତିମ ବୈଠକ ଶେଷ ହୋଇଛି । ପୁଲିସ, ଅଗ୍ନିଶମ ବାହିନୀ, ରେଡକ୍ରସ ସମେତ ଅନ୍ୟାନ୍ୟ ସରକାରୀ କଳକୁ ସଜାଗ କରାଯାଇଛି । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସାରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସେବାୟତଙ୍କ ମଧ୍ୟରେ ଥିବା ମତଭେଦର ପଟାନ୍ତର ଘଟିଛି । ୨୦ ତାରିଖ ଦିନ ମହାପ୍ରଭୁଙ୍କର ଘୋଷଯାତ୍ରା ହେବ । ଏଥର ରଥଯାତ୍ରାରେ ଡ୍ରୋନ୍‌ ଉଡ଼ିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ବିଶେଷ କରି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଣକୁ କଡ଼ା ବାରଣ କରାଯାଇଛି ।