୬ ବର୍ଷର ବାଳକକୁ ଝାମ୍ପିନେଲା କଲରାପତରିଆ ବାଘ

ନବରଙ୍ଗପୁର: ବାଘ ଆକ୍ରମଣରେ ରାଇଘର ତୁରୁଡିହି ଗ୍ରାମର ଜଣେ ବାଳକର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ବାଳକ ନରେନ୍ଦ୍ର ମର୍କାମଙ୍କ ପୁଅ ଅମିତ୍ ମର୍କାମ ବୟସ ସାଢ଼େ ୬ ବର୍ଷ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅମିତ ପରିବାର ସହ ଛତିଶଗଡ ରାଜ୍ୟର ସିହାୱାସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ହଠାତ ତାଙ୍କ ଉପରକୁ ଏକ ଚିତାବାଘ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲା। ବାଘ ତାକୁ ଟାଣି ନେଇ ପାହାଡ଼କୁ ଚାଲି ଯାଉଥିବା ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାୱା ପୁଲିସ ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରିଥିଲା। ଏହାପରେ ଚିକିତ୍ସା ପାଇଁ ସିହାୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଅମିତ୍ ମର୍କାମକୁ ମୃତ ଘୋଷଣା କରିଥିଲେ।