ମା ଦୁର୍ଗା ଦୁର୍ଗତିନାଶିନୀ

ସୃଷ୍ଟିସ୍ଥିତିବିନାଶାନାଂ ଶକ୍ତିଭୂତେ ସନାତନି, ଗୁଣାଶ୍ରୟେ, ଗୁଣମୟେ, ନାରାୟଣି ନମୋସ୍ତୁତେ ।

ମହିଷାସୁରର ଅତ୍ୟାଚାର ଏବଂ ଦେବତାମାନଙ୍କର ଦୁର୍ଦ୍ଦଶାର କାହାଣୀ ଶ୍ରବଣ କରି ଶ୍ରୀପତିଙ୍କ ମୁଖରେ ସ୍ମିତହାସ୍ୟ ପ୍ରକାଶ ପାଇଲା। ସେ କହିଲେ, “ମହିଷାସୁର ସହ ଅନେକ ଦୁର୍ଜୟ ଦାନବ ଅଛନ୍ତି। କିନ୍ତୁ ସେମାନଙ୍କ ସଂହାର ପାଇଁ ଚିନ୍ତିତ ହେବାର କାରଣ ନ ଥାନ୍ତା, ଯଦି ରମ୍ଭ ପୁତ୍ର ପିତାମହଙ୍କଠାରୁ ଏଭଳି ବରଲାଭ କରି ନ ଥାନ୍ତା। ସେହି ଦୁଷ୍ଟ ରାକ୍ଷସ କେବଳ ପ୍ରଚଣ୍ଡ ଶକ୍ତିଶାଳୀ ନୁହେଁ, ସେ ଅନେକ ମାୟାଯୁଦ୍ଧରେ ପ୍ରବୀଣ। ତାର ବିନାଶ ଏକ ନାରୀ ହସ୍ତରେ ସମ୍ଭବ ଏହା ସତ୍ୟ। ମାତ୍ର ଯେ କୌଣସି ନାରୀ ବା ଦେବୀ ସେହି ଦୁରାଚାରୀ ରାକ୍ଷସ ଏବଂ ତାର ପ୍ରବଳ ପରାକ୍ରମୀ ସେନା ସହ ଲଢିପାରିବେ ନାହିଁ। ଆମ ତ୍ରିଦେବଙ୍କ ସହ ସମସ୍ତ ଦେବତା, ଦେବୀ ଲକ୍ଷ୍ମୀ, ପାର୍ବତୀ ଏବଂ ବ୍ରହ୍ମାଣୀଙ୍କ ସହ ଶଚୀ ଆଦି ଦେବୀମାନେ ନିଜ ନିଜର ଶରୀରର ତେଜପୁଞ୍ଜ ପ୍ରକାଶ କରିବେ। ସେହି ତେଜରାଶି ଏକତ୍ରିତ ହୋଇ ନାରୀ ରୂପରେ ଆବିର୍ଭୂତା ହେବେ ମହାଦେବୀ ଭଗବତୀ। ସମସ୍ତ ଦେବଦେବୀ ବସନ, ଭୂଷଣରେ ତାଙ୍କୁ ସଜ୍ଜିତ କରିବେ। ସେମାନେ ସେମାନଙ୍କ ଅସ୍ତ୍ର ଶସ୍ତ୍ର ମଧ୍ୟ ଜଗଦ୍ଧାତ୍ରୀଙ୍କୁ ଅର୍ପଣ କରିବେ। ସେହି ମହୀୟସୀ ନାରୀ ଜନନୀ ଜଗଦମ୍ବା, ଦୁର୍ଗତିନାଶିନୀ ଦୁର୍ଗା ନାମରେ ପରିଚିତ ହେବେ ଏବଂ ତାଙ୍କ ହସ୍ତରେ ରାକ୍ଷସ କୁଳ ନିର୍ମୂଳ ହେବେ।”

ପ୍ରଭୁ ଶ୍ରୀହରିଙ୍କର ନିର୍ଦ୍ଦେଶ ମତେ ଦେବ ଦେବୀମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହେଲେ। ପ୍ରଥମେ ବ୍ରହ୍ମାଙ୍କ ଶରୀରରୁ ନିର୍ଗତ ତେଜପୁଞ୍ଜରୁ ଏକ ନାରୀ ମୂର୍ତ୍ତିର ଆକୃତି ସୃଷ୍ଟି ହେଲା। ତତ୍ପରେ କ୍ରମାନ୍ଵୟରେ ବିଷ୍ଣୁ, ମହେଶ ଇନ୍ଦ୍ର , ଆଦିତ୍ୟ, ବରୁଣ, କୁବେର, ଅଗ୍ନି, ବାୟୁ ଆଦି ଦେବତା ଏବଂ ଦେବୀଗଣ ସେହି ଆକୃତିରେ ନିଜ ନିଜର ତେଜ ସନ୍ନିବେଶ କଲେ। ଦେବୀଙ୍କର ଭୁବନମୋହିନୀ ରୂପରେ ସତ୍ତ୍ଵ, ରଜ ଏବଂ ତମର ସମାବେଶ ଥିଲା। ଶଙ୍କରଙ୍କ ତେଜରେ ତାଙ୍କର ଶୁଭ୍ର ସତେଜ ମୁଖମଣ୍ଡଳ, ଯମରାଜଙ୍କ ଅଂଶରେ ତାଙ୍କର କାକକୃଷ୍ଣ ପ୍ରଲମ୍ବିତ କେଶରାଶି, ଅଗ୍ନି ଦେବତାଙ୍କ ଅଂଶରୁ ତ୍ରିନେତ୍ର, ବାୟୁଙ୍କ ତେଜରୁ କର୍ଣ୍ଣ, କୁବେରଙ୍କ ଅଂଶରୁ ତିଳ ପୁଷ୍ପ ତୁଲ୍ୟ ନାସିକା ଏବଂ ପ୍ରଜାପତିଙ୍କ ଅଂଶରୁ କୁନ୍ଦ ଦନ୍ତପନ୍ତି ତଥା ଇନ୍ଦ୍ରଙ୍କ ତେଜରୁ ତାଙ୍କର ଶରୀରର ମଧ୍ୟଭାଗ ସୃଷ୍ଟି ହୋଇଥିଲା। ପୃଥିବୀଙ୍କ ତେଜରୁ ନିତମ୍ବ ଏବଂ ବରୁଣଙ୍କ ତେଜରୁ ଜାନୁ ସମେତ ଚରଣ ଦ୍ଵୟ ଗଠିତ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ତେଜରୁ ଉଦ୍ଭବ ହୋଇଥିଲା ତାଙ୍କର ସୁପୁଷ୍ଟ ଶକ୍ତିଶାଳୀ ବାହୁ। ଦେବୀ ଅଷ୍ଟାଦଶଭୂଜା ହୋଇଥିଲେ ମଧ୍ୟ ପ୍ରୟୋଜନ ହେଲେ ତାଙ୍କର କନ୍ଧରୁ ସହସ୍ର ଭୁଜ ଉତ୍ପନ୍ନ ହେବାର କ୍ଷମତା ଥିଲା। ସେ ଇଚ୍ଛାମତେ ଚତୁର୍ଭୁଜା ଅଥବା ଦଶଭୁଜା ହୋଇ ପାରୁଥିଲେ। ଦେବୀଙ୍କର ପ୍ରତ୍ୟେକ ଅଙ୍ଗର ଶୋଭା ମନୋହର ଥିଲା। ବିଶାଳାକ୍ଷୀଙ୍କ ନେତ୍ର ଶୋଭା ଅନୁପମ ଥିଲା। ଅଧରୋଷ୍ଠରେ ଜଗତମୋହିନୀ ସ୍ମିତହାସ୍ୟ ଥିଲା। କଣ୍ଠ ସ୍ଵର ମଧୁର ଥିଲା।

ଏବେ ବିଷ୍ଣୁଙ୍କ ଆଦେଶରେ ଦେବ ଦେବୀଗଣ ନିଜ ନିଜର ଆଭୂଷଣ ଏବଂ ଆୟୁଧ ପ୍ରଦାନ କରିବାରେ ଲାଗିଲେ। ଦେବୀ ଲାଲବର୍ଣ୍ଣର ଅମ୍ଳାନ ବସ୍ତ୍ର ପରିଧାନ କଲେ। କର୍ଣ୍ଣରେ କୁଣ୍ଡଳ, କଣ୍ଠରେ ଚାପସରି, ମସ୍ତକରେ ଚୂଡାମଣି, ବାହୁରେ କେୟୂର, କଙ୍କଣ, ହସ୍ତରେ ଚୁଡି, ଅଙ୍ଗୁଳିରେ ରତ୍ନମୁଦ୍ରିକା ଏବଂ ଚରଣରେ ରୁଣୁଝୁଣୁ ବାଜୁଥିବା ନୂପୁର ଶୋଭା ପାଇଲା। ଦେବୀ ବରୁଣଙ୍କ ଦ୍ଵାରା ପ୍ରଦତ୍ତ ଅମଳ କମଳରେ ପ୍ରସ୍ତୁତ ବୈଜୟନ୍ତୀ ମାଳା ଗଳାରେ ପରିଧାନ କଲେ।

ଦେବୀ ଆରୋହଣ କରିବା ପାଇଁ ହିମବନ୍ତ ପଶୁରାଜ ସିଂହକୁ ବାହନ ରୂପରେ ସମର୍ପଣ କଲେ ଏବଂ ତା ଉପରେ ବସି ଦେବୀ ସିଂହବାହିନୀ ନାମରେ ସମ୍ବୋଧିତ ହେଲେ। ଏବେ ଦେବତାମାନେ ସେମାନଙ୍କର ଶ୍ରେଷ୍ଠ ଅସ୍ତ୍ର ଶସ୍ତ୍ର ଦେବୀ ଦୁର୍ଗାଙ୍କୁ ସମର୍ପଣ କଲେ। ଶ୍ରୀହରିଙ୍କ ସୁଦର୍ଶନ ଚକ୍ର, ଶୂଳପାଣିଙ୍କ ତ୍ରିଶୂଳ, ଇନ୍ଦ୍ରଙ୍କର ବଜ୍ର, ଯମଙ୍କର କାଳପାଶ ମାତାଙ୍କର ହସ୍ତରେ ଶୋଭା ପାଇଲା। ବରୁଣ ଦେଲେ ଏକ ସୁନ୍ଦର ଧ୍ୱନି ଉତ୍ପନ୍ନକାରୀ ଶଙ୍ଖ। ପବନ ଦେବତା ଧନୁ ଏବଂ ତୂଣୀର ପ୍ରଦାନ କଲେ। ଏହିପରି ଭାବରେ ଢାଲ, ଖଡ୍ଗ, ଶକ୍ତି, ମୁଦ୍ଗର ଆଦି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଜଗନ୍ମାତା ଦେବତାମାନଙ୍କର ଆନନ୍ଦ ବର୍ଦ୍ଧନ କଲେ। ତାଙ୍କର ସେହି ଭୁବନମୋହିନୀ ରଣଚଣ୍ଡୀ ରୂପ ଦର୍ଶନ କରି ଦେବଗଣ ତାଙ୍କର ସ୍ତୁତି କରିବାରେ ଲାଗିଲେ।

ମା ପରମେଶ୍ଵରୀ, ଭୁବନେଶ୍ଵରୀ, ଜଗଦ୍ଧାତ୍ରୀ, ଜନନୀ ଜଗଦମ୍ବା! ଆପଣ ରୁଦ୍ରାଣୀ, ଆପଣ କମଳିନୀ, ଆପଣ ଇନ୍ଦ୍ରାଣୀ! ଆପଣ ଶୁଭଙ୍କରୀ, କାଳରାତ୍ରୀ, ଋଦ୍ଧି, ସିଦ୍ଧି, ବୁଦ୍ଧି ପ୍ରଦାୟିନୀ, ଆପଣ କଲ୍ୟାଣସ୍ଵରୂପିଣୀ ଭଗବତୀ ବୈଷ୍ଣବୀ। ପୁଣି ଆପଣ ଦୁଷ୍ଟ ସଂହାରକାରିଣୀ କାତ୍ୟାୟନୀ। ଆମ୍ଭେ ଦେବଗଣ ଆପଣଙ୍କ ଶରଣାଗତ। ରାକ୍ଷସରାଜ ମହିଷାସୁରର ଅତ୍ୟାଚାରରେ ତ୍ରିଭୁବନ ତ୍ରସ୍ତ। ତା ଭୟରେ ଦେବତା, ମାନବ, ଯକ୍ଷ, ଗନ୍ଧର୍ବ ଏବଂ କିନ୍ନରଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଯାଇଛି। ବିଧାତାଙ୍କ ବର ପ୍ରାପ୍ତି ଯୋଗୁଁ ସେ ଏତେ ଶକ୍ତିଶାଳୀ ହୋଇଯାଇଛି ଯେ, ଆମ୍ଭେମାନେ ନିଜ ନିଜର ସମ୍ପୂର୍ଣ୍ଣ ପରାକ୍ରମ ପ୍ରୟୋଗ କରି ମଧ୍ୟ ତାକୁ ପରାସ୍ତ କରିପାରୁ ନାହୁଁ। ଆପଣ ତାର ସଂହାର କରି ସୃଷ୍ଟି ରକ୍ଷା କରନ୍ତୁ।”

ଦେବତାମାନଙ୍କ ପ୍ରାର୍ଥନାରେ ଦେବୀଙ୍କ ମୁଖରେ ପ୍ରସନ୍ନତାର ଅମୃତ ଭାବ ଫୁଟି ଉଠିଲା।
ସ୍ମିତହାସ୍ୟ ସହ କୋମଳ କଣ୍ଠରେ ସେ ଦେବତାମାନଙ୍କୁ ଆଶ୍ଵାସନା ଦେଲେ। କହିଲେ, “ଆପଣମାନଙ୍କ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟ ହୋଇଛି। ଏବେ ଆପଣ ନିଶ୍ଚିନ୍ତ ହୁଅନ୍ତୁ। ସେହି ଦୁଷ୍ଟ ଦାନବକୁ ଅଚିରେ ନିଧନ କରି ମୁଁ ଆପଣମାନଙ୍କ ସନ୍ତାପ ଅବଶ୍ୟ ଦୂର କରିବି। ତାର ସର୍ବନାଶର ଅୟମାରମ୍ଭ ହେଲା ବୋଲି ଜାଣନ୍ତୁ। ଏହା କହି ସେ ଏକ ଅଟ୍ଟହାସ୍ୟ କଲେ। ସେହି ମଧୁର ଅଥଚ ଭୟଙ୍କର ଅଟ୍ଟହାସ୍ୟର ଶବ୍ଦ ମଧ୍ୟଭୁବନ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ମହିଷାସୁର କର୍ଣ୍ଣରେ ପ୍ରବେଶ କଲା। ସେ ଏତାଦୃଶ ଭୀତି ଉତ୍ପାଦନକାରୀ ଧ୍ୱନି କେବେ ବି ଶ୍ରବଣ କରି ନ ଥିଲା। ଗୋଟାଏ ସେ ଦୈତ୍ୟ ଅନୁଚରକୁ ଡାକି ଆଦେଶ ଦେଲା, “ମୋ ବର୍ତ୍ତମାନରେ ଏଭଳି ଏକ ବିଚିତ୍ର ଗର୍ଜନ କରିବାକୁ କିଏ ସାହସ କଲା? ସେନାପତିଙ୍କୁ କୁହ, ଯେ କେହି ଏଭଳି ଦୁଃସାହସ କରିଛି, ତାର ସନ୍ଧାନ ନିଅନ୍ତୁ ଏବଂ ତାକୁ ଜୀବନ୍ତ ବନ୍ଦୀ କରି ମୋ ସମ୍ମୁଖରେ ଉପସ୍ଥାପିତ କରନ୍ତୁ!” ରକ୍ଷୀ ‘ଯେ ଆଜ୍ଞା ଦାନବରାଜ’ କହି ପ୍ରସ୍ଥାନ କଲା।

ରଚନା : କୃପାସିନ୍ଧୁ ମିଶ୍ର ।
ସଂଗ୍ରହ: ꧁༒❣️ଆକାଶ ❣️༒꧂
ସୌଜନ୍ୟ : ଜୟ ଶ୍ରୀକୃଷ୍ଣ – ଟେଲିଗ୍ରାମ