ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀ

ପବିତ୍ର ଶ୍ରୀପଞ୍ଚମୀ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କୁ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପୁରପଲ୍ଲୀରେ ପୂଜାର୍ଚ୍ଚନା କରାଯାଏ । ଭାରତବର୍ଷ ହିନ୍ଦୁଧର୍ମରେ ସରସ୍ଵତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନେ ଶ୍ରେଣୀଗୃହକୁ ରଙ୍ଗୀନ କାଗଜମାଳାରେ ସଜାଇ ମା’ଙ୍କୁ ଆରାଧନା କରିଥାନ୍ତି। ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ଵତନ୍ତ୍ର ରୂପରେ ପୂଜା ପାଇଥାନ୍ତି । ମା’ ସରସ୍ବତୀଙ୍କ ପୂଜାରେ ପଞ୍ଚାମୃତ, ଆଖୁ, ଖୁରୀ, ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଧଳା ଫୁଲ, ଚନ୍ଦନ, ଆଦି ଅର୍ପଣ କରାଯାଏ ।

ସରସ୍ଵତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ଵେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ, ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖ୍ ପୂଜା କରିଥାନ୍ତି । ଏହି ପବିତ୍ର ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହୋଇଥାଏ ।