ବିଭାଗୀୟ ପରୀକ୍ଷାରେ ଫେଲ୍‌ ହେଲେ ଶିକ୍ଷକଙ୍କ ଚାକିରି ଚାଲିଯିବନି

ପାଟନା: ବିହାର ଶିକ୍ଷା ସଚିବଙ୍କ ଆଦେଶକୁ କ୍ୟାବିନେଟ ନିଷ୍ପତି ମଣିବା ଭୁଲ ବୋଲି ବିହାର ଶିକ୍ଷାମନ୍ତ୍ରୀ କହିବା ପରେ ଆନ୍ଦୋଳନରତ ଶିକ୍ଷକମାନେ ଆଶ୍ୱସ୍ତ ହୋଇଛନ୍ତି । ବିଭାଗୀୟ ପରୀକ୍ଷାରେ ଫେଲ ହେଲେ ଚାକିରି ହରାଇବାକୁ ପଡ଼ିବ ବୋଲି ଶିକ୍ଷା ସଚିବଙ୍କ ଘୋଷଣାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଶିକ୍ଷକ ।

ପରିସ୍ଥିତି ଖରାପ ଆଡ଼କୁ ଚାଲି ଯାଉଥିବାର ଦେଖି ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୌଧୁରୀ ସ୍ପଷ୍ଟ କରି ଦେଇଛନ୍ତି ଯେ ସକ୍ଷମତା ପରୀକ୍ଷାରେ ଫେଲ ହେଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚାକିରିରୁ ବହିଷ୍କାର କରିଦେବା ପାଇଁ ସରକାରୀ ସ୍ତରରେ କୌଣସି ନିଷ୍ପତି ନିଆଯାଇନି ।

ସୂଚନାଯୋଗ୍ୟ, ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବିଭାଗୀୟ ସକ୍ଷମତା ପରୀକ୍ଷା ଦେବା ବାଧ୍ୟତାମୂଳକ ।