ଏଣିକି ୬ ବର୍ଷ ବୟସରେ ନାମଲେଖା

ନୂଆଦିଲ୍ଲୀ: ଚଳିତ ଶିକ୍ଷାବର୍ଷ (୨୦୨୪-୨୫)ରୁ ୬ ବର୍ଷ ବୟସରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠି ଲେଖାଯାଇ ପରାମର୍ଶ ଦିଆଯାଇଛି । ପୂର୍ବରୁ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବୟସ ସୀମା ଅନ୍ୟୁନ ୫ ବର୍ଷ ଧାର୍ଯ୍ୟ କରାଯାଇଥିଲା ।

ସରକାରଙ୍କ ନିର୍ଦ୍ଦେଶକୁ ମାନିବା ପାଇଁ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ତାଗିଦ କରାଯାଇଛି । ପିଲାମାନଙ୍କର ମାଗଣା ଶିକ୍ଷାଲାଭ କରିବାର ଅଧିକାର ରହିଛି; ମାତ୍ର ତାହା ୫ ବର୍ଷ ବା ତତୋଧିକ ବୟସର ପିଲାମାନଙ୍କ ପାଇଁ ପ୍ରଯୁଜ୍ୟ ।

ପିଲାମାନଙ୍କ ପାଇଁ ପାଠ ପଢ଼ିବାର ଆବଶ୍ୟକତା ଯେତିକି ରହିଛି; ଶୈଶବକୁ ଉପଭୋଗ କରିବାର ଅଧିକାର ମଧ୍ୟ ସେତିକି ରହିଛି । ସର୍ବେକ୍ଷଣରୁ ଜଣାଯାଇଛି; ଶୈଶବକୁ ମନଭରି ଉପଭୋଗ କରି ନଥିବା ପିଲାମାନଙ୍କ ଭିତରୁ ଅଧିକାଂଶ ଯୌବନରେ ପଦାର୍ପଣ କରିବା ମାତ୍ରେ କୁସଙ୍ଗରେ ମାତି ସମାଜ ଦୃଷ୍ଟିରେ ଅସାମାଜିକ ଓ ବିପଥଗାମୀ ପରିଚୟ ସୃଷ୍ଟି କରୁଛନ୍ତି ।

ବାପାମା’ ବା ଅଭିଭାବକଙ୍କ ଚାପରେ ପଡ଼ି କୌଣସି ପିଲା ଯେପରି ଶୈଶବର ଚପଳତାରୁ ବାଦ ନ ପଡୁ; ତାକୁ ଦୃଷ୍ଟିରେ ରଖି ସରକାର ପ୍ରାଥମିକ ଶିକ୍ଷା ଆରମ୍ଭ କରିବାର ବୟସ ୫ ବର୍ଷ ଧାର୍ଯ୍ୟ କରିଥିଲେ । ଏବେ ସରକାର ପିଲାମାନଙ୍କ ଚପଳତାର ବୟସକୁ ଆଉ ବର୍ଷେ ବଢ଼ାଇ ଦେଇଛନ୍ତି ।