କରୋନା ପରେ H3N2ର ଆତଙ୍କ

ଭୁବନେଶ୍ୱର : ରାଜ୍ୟରେ ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା-ଏ ବର୍ଗରେ ଆସୁଥିବାବେଳେ ଏବେ ଇନଫ୍ଲୁଏଞ୍ଜା-ବି ମୁଣ୍ଡ ଟେକିଲାଣି। ଗତକାଲି ସୁଦ୍ଧା ଏକ ଘରୋଇ ଚିକିତ୍ସାଳୟରେ ୨ ଜଣ ଇନଫ୍ଲୁଏଞ୍ଜା-ବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଚ୍‌୩ଏନ୍‌୨ ପାଇଁ ରାଜ୍ୟର ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେହେତୁ ଇନଫ୍ଲୁଏଞ୍ଜା ଲକ୍ଷଣ କରୋନା ସହିତ ସମାନ ତେଣୁ ଥଣ୍ଡା, ଜ୍ବର ହେଲେ କରୋନା ପରୀକ୍ଷା କରାଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ସର୍ବେକ୍ଷଣ ବଢାଇବା ଓ ଅମ୍ଲଜାନ ଏବଂ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ ଏଚ୍୩ଏନ୍‌୨ର କୌଣସି ନିର୍ଦିଷ୍ଟ ଚିକିତ୍ସା ନାହିଁ। ଥଣ୍ଡା, ଜ୍ବର, କାଶ କିଛି ଦିନ ଲାଗି ରହିବ ଏବଂ ଦୁଇରୁ ତିନିଦିନ ମଧ୍ୟରେ ଆପେ ଭଲ ହୋଇପାରେ। ବହୁବିଧ ରୋଗୀ ଏମିତିକି ଶ୍ବାସ, ହୃଦ ଏବଂ କିଡନୀ ଆଦି ଗୁରୁତର ରୋଗୀ ଏଥିଯୋଗୁଁ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି। ତେଣୁ ଲକ୍ଷଣ ଥିଲେ ନିଜକୁ ସଙ୍ଗରୋଧରେ ରଖିବା ସହିତ କରୋନା ନିୟମ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।