କେତେ ଉଜ୍ଜ୍ୱଳ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ

ପୁରୀ: ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମମତା କେତେ? ଦୀର୍ଘ ୨୪ ବର୍ଷ ଭିତରେ ଓଡ଼ିଶାର ସାଢେ଼ ଚାରିକୋଟି ଜନତାଙ୍କୁ ଅଛପା ନାହିଁ । ସରକାରୀ ନଥିପତ୍ରରେ ଇଂରାଜୀକୁ ପ୍ରାଥମିକତା ଦିଆଯିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷାଜ୍ଞାନ ଅଭାବକୁ ଅନେକାଂଶରେ ଦାୟୀ କରାଯାଉଛି ।

ବିଗତ ୩୦ ବର୍ଷ ଭିତରେ ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉଦବେଗ ଭାବରେ କମୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ସରକାରୀ କର୍ମଚାରୀ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ।ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପଣ କରିଛନ୍ତି । କ୍ୟାମ୍ପସ ଭିତରେ ରହିଛି ପ୍ରଶାସନିକ କୋଠା, ଶ୍ରେଣୀକକ୍ଷ, ଦୁଇଟି ହଷ୍ଟେଲ କୋଠା, ଲାଇବ୍ରେରୀ ଓ କ୍ୟାଂଟିନ୍‌ । ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଲୋକାର୍ପଣ ସମାରୋହରେ ଉପ-କୁଳାଧିପତି, ଅଧ୍ୟାପନା ମଣ୍ଡଳୀ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସତ୍ୟବାଦୀ ଥିଲା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କର କର୍ମପୀଠ । ଉକ୍ରଳମଣିଙ୍କ କର୍ମଭୂମିରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଭାଗ୍ୟବାନ ମଣିଛନ୍ତି ।ପ୍ରାୟ ୯ ଏକର ଜମି ଉପରେ ଠିଆ ହୋଇଛି ବିଶ୍ୱବିଦ୍ୟାଳୟ । ଚାରିବର୍ଷ ତଳେ ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା ।