ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ “ବିଶ୍ୱ ଜଳାତଙ୍କ ଦିବସ” ପାଳିତ ହୋଇଯାଇଛି। ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଓ ଏହାର ନିରାକରଣ ଦିଗରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୩ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାଣିଚିକିତ୍ସକ ଓ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ। କୁକୁର କାମୁଡ଼ିଲେ କ୍ଷତସ୍ଥାନକୁ ସାବୁନ ଓ ପରିଷ୍କାର ପାଣିରେ ଭଲ ଭାବେ ଧୋଇବା, ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି ରାବିଜ୍‌ ଟିକା ନେବା, ଜଳାତଙ୍କ ପ୍ରତିରୋଧ ପାଇଁ ଗୃହପାଳିତ କୁକୁର ଓ ଅନ୍ୟ ପ୍ରାଣୀଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।

ଜଳାତଙ୍କ ରୋଗର ସଚେତନତା ସହ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରାଣିଚିକିତ୍ସକମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟସ୍ତରରୁ ସଚେତନତା ସୃଷ୍ଟି ମାଧ୍ୟମରେ ଜଳାତଙ୍କ ରୋଗର ନିରାକରଣ ପାଇଁ ସାମୂହିକ ପ୍ରୟାସକୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପ୍ରାଣିଚିକିତ୍ସକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ସଚେତନତା ସହିତ ଠିକ ସମୟରେ ଚିକିତ୍ସା ଓ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଜରିଆରେ ଜଳାତଙ୍କ ନିରାକରଣ ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।