ରାମାୟଣ ଯୁଗରେ କୁମ୍ଭକର୍ଣ୍ଣ ୬ ମାସ ଧରି ଶୋଉଥିବାର କଥା ଆମ କାନରେ ପଡ଼ିଥିଲା । ମାତ୍ର ଦୀର୍ଘ ୨୦ ବର୍ଷ ଧରି ଜଣେ ରାଜକୁମାର ଆମ ଗହଣରେ ଶୋଇ ରହିଥିବା ଖବର ଆପଣ ଜାଣନ୍ତି ?
ଘଟଣାଟି ସଂପୂର୍ଣ୍ଣ ସତ । ସାଉଦି ରାଜପରିବାରର ଦାୟାଦ ରାଜକୁମାର ଅଲ୍ ୱାଲିଦ୍ ବିନ୍ ଖାଲେଦ ବିନ୍ ତଲାଲ । ନିକଟରେ ତାଙ୍କର ପାଳିତ ହୋଇଯାଇଛି ୩୬ତମ ଜନ୍ମ ଦିବସ । ରାଜ ପରିବାରର ପ୍ରତିଟି ସଭ୍ୟ ତାଙ୍କ ଜନ୍ମତିଥି ପାଳନ କରୁଥିବା ବେଳେ ରାଜକୁମାର ସେ ବିଷୟ ଆଦୌ ଜାଣି ପାରିନାହାନ୍ତି।
ଆଜକୁ ୨୦ ବର୍ଷ ପୂର୍ବେ ୨୦୦୫ ମସିହାରେ ରାଜକୁମାର ମିଲିଟାରୀ କଲେଜର ଛାତ୍ର ଥିଲେ । କଲେଜରୁ ଘରକୁ ଫେରୁଥିବା ସମୟରେ ଭୟଙ୍କର କାର ଦୁର୍ଘଟଣାର ଶିକାର ହେଲେ । ରାଜକୁମାରଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ରିୟାଦର କିଙ୍ଗ୍ ଅବଦୁଲାଜିଜ ମେଡିକାଲ ସିଟିର ଦକ୍ଷ ଡାକ୍ତରଙ୍କ ଟିମ୍ ସବୁ ଉଦ୍ୟମ କରିବା ସତ୍ୱେ ରାଜକୁମାର କୋମାକୁ ଚାଲିଗଲେ । ଆଧୁନିକ ସାଉଦି ଆରବର ନିର୍ମାତା ରାଜା ଅବଦୁଲାଜିଜଙ୍କ ଅଣନାତି । ବର୍ତମାନର ରାଜା ସଲମାନ ବିନ୍ ଅବଦୁଲାଜିଜ ରାଜକୁମାର ଅଲ୍ ୱାଲିଦଙ୍କର ବଡ଼ବାପା ହେବେ ।
ରାଜକୁମାର ଅଲ ୱାଲିଦଙ୍କ ବାପା ରାଜକୁମାର ଖାଲେଦ ବିନ୍ ତଲାଲ ଅଲ ସୌଦ କହନ୍ତି ଯେ ଯଦି ତାଙ୍କ ପୁଅ ମରିବାର ଥିଲା ତେବେ ଦୁର୍ଘଟଣାରେ ମରି ଯାଇଥାନ୍ତେ । ମାତ୍ର ଆଲ୍ଲା ତାଙ୍କୁ ବଂଚାଇ ରଖିଚନ୍ତି ମାନେ ଦିନେ ନା ଦିନେ ରାଜକୁମାର ସୁସ୍ଥ ହୋଇ ସାଧାରଣ ମଣିଷଙ୍କ ଭଳି ଚଳପ୍ରଚଳ କରିବେ ।
୨୦୧୯ରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ରାଜକୁମାର ତାଙ୍କର ହାତ ଅଙ୍ଗୁଳିକୁ ହଲଚଲ କରୁଛନ୍ତି । ମୁଣ୍ଡ ଏପଟ ସେପଟ କରୁଛନ୍ତି । ତେବେ ପରେ ସେଗୁଡ଼ିକ ଗୁଜବ ପ୍ରାୟ ମନେ ହୋଇଥିଲା ।