ବୟସ ହାତରୁ ଖସିଯାଉଛି, କେମିତି ଦିଶିବେ ଚିରକୁମାର?

ଡାକ୍ତରଙ୍କ ପରାମର୍ଶ ଅନୁସାରେ ବୋଟାକ୍ସ ନିଅନ୍ତୁ……

ବଲିଉଡ ଚିରକୁମାରୀ ରେଖା, ହେମା ଓ ଚିରକୁମାର ଅନିଲ କପୁରଙ୍କ କଥା ଭାବନ୍ତୁ । ବୟସ ୬୫ ଟପିଲାଣି; ତଥାପି ଚହଟୁଛି ଚେହେରା । ୫୦ ଟପିଲେଣି ଅଭିନେତ୍ରୀ ମାଧୁରୀ; ହେଲେ ବୟସଟା ଅଟକି ଯାଇଛି । ଏବେ ମଧ୍ୟ ତାଙ୍କ ପାଦର ପାଉଁଜି ଅନେକଙ୍କ ଦିଲକୁ ଧକ୍‌ଧକ୍‌ କରୁଛି।

ସୁନ୍ଦର ଦିଶିବା ପାଇଁ କିଏ ବା ନଚାହେଁ? କୁହାଯାଏ, ଯୌବନେ ମର୍କଟି ରମ୍ଭା । ମାତ୍ର ବୟସର ଢେ଼ଉ ଆଗକୁ ଗଡ଼ିବା ମାତ୍ରେ ଉଜ୍ଜ୍ୱଳ ଚେହେରା ମଧ୍ୟ ମଳିନ ପଡ଼ିବା ଆରମ୍ଭ କରେ । ବୟସର ଢେଉରେ ସମସ୍ତେ ନାଚିନାଚି ଆଗକୁ ଯାଆନ୍ତି । ହେଲେ କେହି ବୟସ୍କ ଦିଶିବାକୁ ମନବଳାନ୍ତି ନାହିଁ । ବୟସର ଛାପକୁ ଲୁଚାଇବା ପାଇଁ ପୁରୁଷ ମହିଳାମାନେ ନାନା ଉପାୟ ଅବଲମ୍ବନ କରନ୍ତି । ମୁହଁ, ହାତଗୋଡ଼ ଓ ଶରୀରର ପ୍ରତିଟି ଅଙ୍ଗରେ ଯୌବନକୁ ଅଟକାଇବା ପାଇଁ ଯାବତୀୟ ଚେଷ୍ଟା କରିଥାନ୍ତି । ଡାକ୍ତର ଦୁଆରକୁ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି ।

ଶୁଣାକଥାକୁ ବିଶ୍ୱାସ କରି ନିୟନ୍ତ୍ରିତ ଖାଦ୍ୟପାନୀୟ ଗ୍ରହଣ କରନ୍ତି । ଭାରତ ସୁନ୍ଦରୀ, ବିଶ୍ୱ ସୁନ୍ଦରୀ, କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଉଥିବା ଯୁବତୀମାନେ ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତି । ଦରକାର ପଡ଼ିଲେ, ପ୍ଲାଷ୍ଟିକ୍‌ ସର୍ଜରୀ କରନ୍ତି । ଡାକ୍ତରଙ୍କ ପରାମର୍ଶ ସବୁବେଳେ ଗ୍ରହଣ କରିବା ସମ୍ଭବ ନୁହେଁ । ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ବଲିଉଡ୍‌ ଓ ହଲିଉଡ୍‌ରେ ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି; ଯେଉଁମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ୍‌ ସର୍ଜରୀ କରିଥିଲେ ମଧ୍ୟ ମନଲାଖି ସୁନ୍ଦରୀ ହୋଇପାରିଲେନି ।

ବୟସରେ ଲଗାମ କଷିବା ସମ୍ଭବ? ଆଗକୁ ପାଦ ବଢ଼ାଇବା ସଙ୍ଗେସଙ୍ଗେ ଚେହେରା ଫିକା ପଡ଼ିଆସେ । ହାତଗୋଡ଼ ଚର୍ମ ମୋଚିମୋଚି ହୋଇଯାଏ । ସାଧାରଣତଃ ୩୦ ବର୍ଷ ବୟସ ଟପିବା ପରେ ବୟସର ପ୍ରଭାବ ଶରୀର ଉପରେ ପଡ଼ିବା ଆରମ୍ଭ କରେ । ବିଶେଷ କରି ମାନସିକ ଚିନ୍ତା, ଖାଦ୍ୟପାନୀୟ ଓ ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ନିର୍ଭରଶୀଳ ଆମର ଏହି ଶରୀର । ଅଧିକ ମାନସିକ ଚିନ୍ତା ଭିତରେ ବୁଡ଼ି ରହୁଥିବା ଲୋକର ବୟସ ଅନୁମାନ କରିବା କଷ୍ଟକର । ସାର୍ଟିଫିକେଟରେ ବୟସ ୩୦; ମାତ୍ର ଚେହେରାକୁ ଦେଖିଲେ ଦିଶୁଥିବେ ୪୫ ।

ଅକାଳେ ବାର୍ଦ୍ଧକ୍ୟ ଦୂରେଇବା ପାଇଁ ଆମକୁ ଖାଦ୍ୟପଦାର୍ଥ ଉପରେ ସଂଯମତା ରକ୍ଷା କରିବାକୁ ହେବ । ସୁନ୍ଦର ଚେହେରା ପାଇଁ ସୁନ୍ଦର ଉପାୟ ‘ବୋଟାକ୍ସ’ । ନିୟମିତ ଖାଦ୍ୟପେୟ ଓ ଦୈନନ୍ଦିନ ଜୀବନଶୈଳୀ ସାମାନ୍ୟ ବଦଳାନ୍ତୁ, ଆପଣ ହୋଇଯିବେ ଚିରକୁମାର । ମନରେ ପ୍ରଶ୍ନ ଆସୁଥିବ, ‘ବୋଟାକ୍ସ’ କ’ଣ?

ବହୁ ନାମୀ ଅଭିନେତ୍ରୀ ବ୍ୟୁଟି ଟ୍ରିଟ୍‌ମେଂଟ ଆଦରି ନେଇଛନ୍ତି । ୯୦ ଦଶକରେ ବଲିଉଡ୍‌ ଅଭିନେତ୍ରୀ ନିଲମ କୋଠାରୀ ସୋନୀ କିଛି ସମୟ ପାଇଁ ‘ବୋଟାକ୍ସ’ ପଦ୍ଧତି ଆପଣାଇଥିଲେ ଓ ସେ ସମ୍ପର୍କୀତ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ହଲିଉଡ୍‌ ଅଭିନେତ୍ରୀ କମି କର୍ଦିସିୟାଁ ‘ବୋଟାକ୍ସ’ ପଦ୍ଧତିର ଭୁରିଭୁରି ପ୍ରଶଂସା କରିଛନ୍ତି । ବୋଟାକ୍ସ ଏକ ବିଷାକ୍ତ ଦ୍ରବ୍ୟ ଯାହା କ୍ଲୋଷ୍ଟ୍ରିଡିୟମ ବୋଟୁଲିନମ୍‌ ଜୀବାଣୁରୁ ସୃଷ୍ଟି ହୋଇଥାଏ । ଏହି ବିଷାକ୍ତ ଦ୍ରବ୍ୟ ଖାଦ୍ୟକୁ ବିଷ କରିଦିଏ ।

ମଣିଷ ଜୀବନକୁ ନେଇ ଯାଉଥିବା ବୋଟାକ୍ସ ଜୀବାଣୁ ଆଜିକାଲି ଆପଣଙ୍କ ବୟସକୁ ଅଟକାଇ ଦେବା କାମ କରୁଛି । ବୋଟାକ୍ସ ଜୀବାଣୁରୁ ପ୍ରସ୍ତୁତ ଇଞ୍ଜେକସନ୍‌ ଆପଣଙ୍କ ମୁହଁକୁ ବାର୍ଦ୍ଧକ୍ୟରୁ ରକ୍ଷା କରିବ । ବୟସ ପ୍ରଭାବରେ ଆପଣଙ୍କ ମୁହଁ ଓ ଶରୀର ମାଂସପେଶୀକୁ ଶିଥିଳ କରି ଦେଉଥିବା ପ୍ରକ୍ରିୟାକୁ ଅଟକାଇବା କାମ କରୁଛି ବୋଟାକ୍ସ । ବୋଟାକ୍ସ ଇଞ୍ଜେକସନ୍‌ ପାଇଁ ଆପଣ କାନଶୁଣା କଥାରେ ପ୍ରଭାବିତ ହୁଅନ୍ତୁନି । ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆପଣଙ୍କ ତ୍ୱଚାକୁ ପରୀକ୍ଷା କରିବା ପରେ ହିଁ ଡାକ୍ତରମାନେ ବୋଟାକ୍ସ ଇଞ୍ଜେକସନ୍‌ ଆପଣଙ୍କ ପାଇଁ ଲାଭଦାୟକ ରହିବ କି ନାହିଁ, କହିପାରିବେ ।