ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ଜରୁରୀ

ଭଦ୍ରକ: ମଣିଷର ମନ ଓ ବିବେକ କ୍ରମେ ନିୟନ୍ତ୍ରଣ ହରାଉଛି । ଦୈନନ୍ଦିନ ଜୀବନରେ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରହିବା ଜରୁରୀ । ଆଚରଣ ଓ ଉଚ୍ଚାରଣରେ ମାପଚୁପ ନରହିବା କାରଣରୁ ବୁଧବାର ଦିନ ଓଡ଼ିଶାର ଭଦ୍ରକରେ ଜଣେ ଦୋକାନୀଙ୍କ ଜୀବନ ଚାଲିଯାଇଛି ଗରାଖଙ୍କୁ ମାତ୍ର ୪୦ ଟଙ୍କା ଫେରାଇବା ଚକ୍କରରେ ।

ଭଦ୍ରକ ଟାଉନ୍‌ ଥାନା ଅନ୍ତର୍ଗତ ଚରମ୍ପା ଅଂଚଳରେ ରାକେଶ ପରିଡ଼ା ନାମକ ଜଣେ ବ୍ୟକ୍ତି ଗୋଟିଏ ତେଜରାତି ଦୋକାନରୁ କିଛି ସଉଦା କିଣିବାକୁ ଯାଇଥିଲେ । ଦୋକାନରୁ ୧୮୦ ଟଙ୍କାର ସଉଦା କିଣିବା ପରେ ରାକେଶ ଦୋକାନ ମାଲିକ ବିଜୟ ପଣ୍ଡାଙ୍କ ହାତକୁ ୧୪୦ ଟଙ୍କା ବଢ଼ାଇ ଦେଇଥିଲେ । ଆଉ ୪୦ ଟଙ୍କା ଦେବା ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ଭିତରେ କଥା କଟାକଟି ଆରମ୍ଭ ହୋଇଥିଲା । କଥା କଟାକଟିରୁ ହାତ ଧରାଧରି ପର୍ଯ୍ୟନ୍ତ କଥା ଯାଇଥିଲା । ରାକେଶଙ୍କ ଧକ୍କାରେ ବିଜୟ ତଳେ ପଡ଼ି ଚେତା ହରାଇଥିଲେ ।

ପାଖ ଦୋକାନୀମାନେ ବିଜୟଙ୍କୁ ଧରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଇଥିଲେ ।  ଡାକ୍ତର ବିଜୟଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

ମୃତ ବିଜୟଙ୍କ ପୁତୁରା ନଳିନୀକାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କ ଦାଦା ବିଜୟ ସଂପୂର୍ଣ୍ଣ ସୁସ୍ଥ ଓ ନିରୋଗ ଥିଲେ । ଜଣେ ବ୍ୟକ୍ତିଙ୍କ ନିକଟରୁ ଫୋନ୍‌ କଲ୍‌ ପାଇ ସେ ଡାକ୍ତରଖାନାକୁ ଯାଇ ଦାଦାଙ୍କ ପ୍ରାଣହୀନ ଶରୀରକୁ ଦେଖିବାକୁ ପାଇଥିଲେ ।