ପାକିସ୍ତାନ କୋଇଲା ଖାଦାନରେ ନିଆଁ, ୧୨ ଶ୍ରମିକଙ୍କ ପ୍ରାଣହାନି

ଇସଲାମାବାଦ: ବୁଧବାର ଦିନ ପାକିସ୍ତାନର ବେଲୁଚିସ୍ତାନ ରାଜ୍ୟ ଅନ୍ତର୍ଗତ ଗୋଟିଏ କୋଇଲା ଖାଦାନରେ ଅନ୍ୟୁନ ୧୨ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ କୋଇଲା ଖାଦାନରେ ନିଆଁ ଲାଗିଥିବା ବିଷୟ ଜଣାପଡ଼ିଛି । ଖଣି ଅଧିକାରୀ ଅବଦୁଲ ଘନି ବାଲୁଚଙ୍କ ସୂଚନା ମୁତାବକ ଖାଦାନ ଭିତରେ ବିଷାକ୍ତ ଗ୍ୟାସ୍‌ ବିସ୍ଫୋରଣ ଘଟି ହଠାତ୍‌ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିବାର କିଛି ସମୟ ପରେ କୋଇଲା ଖାଦାନ ଧସି ଯାଇଥିଲା । ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ବିସ୍ଫୋରଣ ସମୟରେ ଖାଦାନରେ ୧୨ ଜଣ ଶ୍ରମିକ କାମ କରୁଥିଲେ । କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ୮ ଜଣ ଶ୍ରମିକ ଖଣି ଭିତରକୁ ପଶିଥିଲେ । ଉଦ୍ଧାରକାରୀ ଟିମ ୧୨ଟି ମୃତଦେହ ଓ ୮ ଜଣ ଆହତଙ୍କୁ ଉଦ୍ଧାର କରିଛି ।