ଚନ୍ଦ୍ର ଗ୍ରହଣ: ତିନୋଟି ରାଶିକୁ ଲାଭ

ଗ୍ରହଣ ସମୟରେ ମଶାଣି ଯିବା ମନା

ପୂଜାର୍ଚ୍ଚନା ନକରି ମନ୍ତ୍ର ଜପ କରିବା ଉଚିତ

ଅକ୍ଟୋବର ୨୮ ତାରିଖ ଶରତ ପୂର୍ଣ୍ଣିମା । ସାଧାରଣତଃ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଗ୍ରହଣ ପଡ଼ିଥାଏ । କିନ୍ତୁ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଦିବସରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ତାହା ଟିକେ ଖାସ୍‌ ହୋଇଯାଇଛି । ଭାରତର ପ୍ରାୟ ସବୁ ରାଜ୍ୟରେ ରାହୁଗ୍ରସ୍ତ ଚନ୍ଦ୍ର ଦୃଶ୍ୟମାନ ହେବ ।

ପାଞ୍ଜି ଅନୁସାରେ ଅକ୍ଟୋବର ୨୮ ତାରିଖ ରାତି ସାଢେ଼ ୧୧ଟାରେ ଆରମ୍ଭ ହେବ । ରାତି ୩ଟା ୫୬ ମିିନିଟରେ ଗ୍ରହଣ ଶେଷ ହେବ । ରାତି ୧ଟା ୦୫ ମିନିଟରେ ରାହୁ ଚନ୍ଦ୍ରକୁ ସ୍ପର୍ଶ କରିବେ । ରାତି ୧ଟା ୪୪ ମିନିଟରେ ଗ୍ରହଣର ମଧ୍ୟକାଳ, ମୋକ୍ଷ ସମୟ ରାତି ୨ଟା ୨୪ ମିନିଟରେ ହେବ ।

ତେଣୁ ଦିନ ୪ଟାରୁ ପାକତ୍ୟାଗ, ଦେବକାର୍ଯ୍ୟ ନିଷେଧ । ଦିନ ୪ଟା ପରେ ଦୋକାନରୁ ଲୌହ ସାମଗ୍ରୀ କିଣି ଘରକୁ ଆଣିବା ଅନୁଚିିତ । ଖାଦ୍ୟ ସାମଗ୍ରୀ କିଣି ଘରକୁ ଆଣିବା ଅନୁଚିତ । ଇଲେକ୍‌ଟ୍ରିକ ଅବା ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କିଣିବା ମନା ।

ଭାରତ ସମେତ ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗରର ଉତର ଭାଗ ଓ ରୁଷିଆର ପୂର୍ବଭାଗରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଚନ୍ଦ୍ର ଗ୍ରହଣର ଅନ୍ତିମ ଭାଗ ବ୍ରାଜିଲର ପୂର୍ବାଂଚଳ, କାନାଡା ଓ ଦକ୍ଷିଣ ଆଟଲାଂଟିକ ମହାସାଗରରେ ଦୃଶ୍ୟମାନ ହେବ ।

ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିବାର ୯ ଘଂଟା ପୂର୍ବରୁ ସୂତକ କାଳ ଲାଗିଥାଏ । ସୂତକ କାଳ ସମୟରେ ଦେବଦେବୀ ପୂଜାର୍ଚ୍ଚନା କରାଯାଏନା । ମେଷ ରାଶିରେ ଚନ୍ଦ୍ର ଥିବା ସମୟରେ ଗ୍ରହଣ ଲାଗୁଛି ।

ତେଣୁ ମେଷରାଶିର ଲୋକମାନଙ୍କ ପାଇଁ ଗ୍ରହଣ ଦେଖିବା ଦୋଷାବହ । ମିଥୁନ, କନ୍ୟା ଓ କୁମ୍ଭରାଶିର ଜାତକ ପାଇଁ ଗ୍ରହଣ ଲାଭଦାୟକ । ବୃଷ, ତୁଳା, ବିଛା ଓ ମୀନରାଶି ଜାତକ ପାଇଁ ସତର୍କ ରହିବାକୁ କୁହାଯାଉଛି । ସୂତକ କାଳ ପୂର୍ବରୁ ଖାଇବା ଦ୍ରବ୍ୟରେ କିଛି ତୁଳସୀ ପତ୍ର ପକାଇ ଦିଅନ୍ତୁ । ଚନ୍ଦ୍ର ଗ୍ରହଣର ପ୍ରଭାବ ୧୫ ଦିନ ଧରି ପଡ଼ିଥାଏ । ଗ୍ରହଣ ସମୟରେ ଶୂନଶାନ ଅବା ମଶାଣିକୁ ଯିବା ଅର୍ଥ ମହାବିପଦକୁ ବରଣ ।