ରଙ୍ଗୀନ ଦୁନିଆରେ ଜୀବନ ର ଦୌଡ ର ମୂଲ୍ୟ……. କଣ……

ସାରା ଜୀବନ ଧନ ସମ୍ପତ୍ତି, ମାନସମ୍ମାନ ଓ ପଦପଦବୀ ପଛରେ ଦୌଡ଼ି ଦୌଡ଼ି ହାଲିଆ …

ସାରା ଜୀବନ ଧନ ସମ୍ପତ୍ତି, ମାନସମ୍ମାନ ଓ ପଦପଦବୀ ପଛରେ ଦୌଡ଼ି ଦୌଡ଼ି ହାଲିଆ ହୋଇ ପଡ଼ିଥିବା ଆଜିର ମଣିଷ . ଷ୍ଟିଭ୍ ଜବସ୍ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀରୁ ଅନେକ କିଛି ଶିଖିବାର ଅଛି।

ବିଶ୍ବପ୍ରସିଦ୍ଧ ଆପଲ୍ କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍ ଜବସ୍ ଙ୍କୁ କିଏ ବା ନ ଜାଣେ ! ପ୍ରଚଣ୍ଡ ପ୍ରତିଭା’ର ଅଧିକାରୀ ଷ୍ଟିଭ୍ ନିଜ ଜୀବନକାଳ ଭିତରେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରିଥିଲେ।
ତାଙ୍କ ନାମ ସାରା ପୃଥିବୀରେ ସୁବିଖ୍ୟାତ ହୋଇ ସାରିଥିଲା।
କିନ୍ତୁ, ମାତ୍ର ଛପନ ବର୍ଷ ବୟସରେ ଦୁରାରୋଗ୍ୟ ଅଗ୍ନାଶୟର କ୍ୟାନସର ରୋଗରେ ପୀଡ଼ିତ ହୋଇ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଡାକ୍ତରଖାନାର ବିଛଣାରେ ଶୋଇ ଶୋଇ ନିଶ୍ଚିତ ମୃତ୍ୟୁ ସହିତ ଦିନରାତି ସଂଘର୍ଷ କରୁଥିବା ସମୟରେ ସେ ଲେଖିଥିବା କଥା କେଇପଦ ଆଜି ବି ହୃଦୟକୁ ସ୍ପର୍ଶ କରିଯାଏ।

ସେ ଲେଖିଥିଲେ –
“ବ୍ୟବସାୟିକ ଦୁନିଆର ଶିଖର ଦେଶରେ ପହଞ୍ଚି ସାରିଥିଲି ମୁଁ। ଅନ୍ୟମାନଙ୍କ ଆଖିରେ ମୋ ଜୀବନ ସଫଳତାର ଏକ ଜୀବନ୍ତ ଉଦାହରଣ ହୋଇ ସାରିଥିଲା।

କିନ୍ତୁ କେବଳ କଠିନ ପରିଶ୍ରମ ଛଡ଼ା ଜୀବନରେ ଆନନ୍ଦ କଣ ମୁଁ ଜାଣି ପାରିଲି ନାହିଁ। ଧନସମ୍ପଦକୁ ହିଁ ଜୀବନ ବୋଲି ମାନି ନେଇଥିଲି ମୁଁ।

ଏବେ ରୋଗଶଯ୍ୟାରେ ପଡ଼ି ପଡ଼ି ଜୀବନର ଶେଷ କେଇଟା ନିଶ୍ଵାସ ର ହିସାବ ନିକାସ କରୁ କରୁ
ମୁଁ ବୁଝି ପାରୁଛି ଯେ ମୋ ପାଇଁ ମୋର ସମସ୍ତ ଧନ ସମ୍ପଦ ଓ ପ୍ରସିଦ୍ଧି ଯାହା ପାଇଁ ଦିନେ ମୁଁ ବହୁତ ଗର୍ବିତ ଅନୁଭବ କରୁଥିଲି, ଆଜି ତାହା ଅର୍ଥହୀନ ହୋଇ ପଡ଼ିଛି।

ଅନ୍ଧକାର ଭିତରେ ଡାକ୍ତରଖାନାର ଜୀବନରକ୍ଷକ ଯନ୍ତ୍ରପାତି ସବୁରୁ ନିର୍ଗତ ଲାଲ ନେଳୀ ଆଲୁଅ ସାଙ୍ଗକୁ ପାଳି ଧରି ଭାସି ଆସୁଥିବା ଘୁଂ ଘୁଂ ଶବ୍ଦ ସବୁ ମୋତେ ଆଗନ୍ତୁକ ଯମଦୂତ ମାନଙ୍କ ପଦଧ୍ଵନୀର ସଙ୍କେତ ଦେଉଛନ୍ତି।

ସୁନ୍ଦର ଜୀବନଟିଏ ପାଇଁ ଟଙ୍କା ପଇସାର କିଛିଟା ଆବଶ୍ୟକତା ତ ନିଶ୍ଚୟ ରହିଛି, କିନ୍ତୁ ତାଠାରୁ ଅନେକ ବେଶୀ ଆବଶ୍ୟକତା ରହିଛି ଏକ ସୁନ୍ଦର ସମ୍ପର୍କର, ଏକ ମନମତାଣିଆ ସ୍ଵପ୍ନର, ଆଖି ଲାଖି ରହୁଥିବା କଳାକୃତିର ଏବଂ ଅଜଣା ଅଶୁଣା ଜାଗାମାନଙ୍କରେ ବୁଲାବୁଲି କରି ଆନନ୍ଦ ଉଠେଇବାର।

ଅନ୍ଧ ଭାବରେ ଧନସମ୍ପଦ ପଛରେ ଦୌଡ଼ିବାର ଫଳ ସ୍ଵରୂପ ମଣିଷ ଏକ ଯନ୍ତ୍ରମାନବରେ ପରିଣତ ହୋଇଥାଏ, ଯାହାର ଏକ ଜ୍ଵଳନ୍ତ ଉଦାହରଣ ମୁଁ ନିଜେ।

ମୋର ଏ ସମସ୍ତ ଧନସମ୍ପତ୍ତି ମୁଁ ମରିଗଲେ ମୋ ସାଥିରେ ଯିବେ ନାହିଁ। ନା ମୋତେ ସେମାନେ ମୋର ମୃତ୍ୟୁ ମୁଖରୁ ବଞ୍ଚେଇ ପାରିବେ। ସେମାନେ ମୋ ଯନ୍ତ୍ରଣାରୁ କାଣିଚାଏ ମଧ୍ୟ ଲାଘବ କରି ପାରିବେ ନାହିଁ।

ମୋ ସହିତ ଯଦି କେହି ରହିଯିବେ, ସେମାନେ ହେଲେ ମୋ ଜୀବନରେ ସ୍ଵଳ୍ପ ସମୟ ପାଇଁ ହେଲେ ମଧ୍ୟ ସୁନ୍ଦର ସମ୍ପର୍କର କିଛିଟା ସ୍ମୃତି, ଅଜଣା ଅଶୁଣା ମଣିଷ ମାନଙ୍କର ନିସ୍ଵାର୍ଥପର ଭଲ ପାଇବା ଏବଂ ସେମାନଙ୍କର ଆଶୀର୍ବାଦ।

ସେସବୁ’କୁ – ଟଙ୍କା ଦେଇ କିଣି ହେଉନଥିବା ସମ୍ପତ୍ତିମାନେ ହିଁ ଜଣେ ମଣିଷ ପାଇଁ ଅମୂଲ୍ୟ ରତ୍ନ ଠାରୁ କୌଣସି ଗୁଣରେ କମ୍ ନୁହେଁ। ସ୍ନେହ ପ୍ରେମ ଶ୍ରଦ୍ଧା ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେଇ ପାରେ। ମୋ ଜୀବନରେ ସେ ସବୁକୁ ମୁଁ କିନ୍ତୁ କେବେ କୌଣସି ମୂଲ୍ୟ ଦେଇ ପାରିଲି ନାହିଁ।

ଏବେ ବୁଝୁଛି, ଜୀବନର ସବୁଠାରୁ ଦାମିକିଆ ଶଯ୍ୟାର ନାମ ହେଲା ରୋଗଶଯ୍ୟା।

ପଇସା ଦେଇ ଡ୍ରାଇଭର ଟିଏ ରଖାଯାଇପାରେ, କର୍ମଚାରୀ ରଖାଯାଇ ପାରନ୍ତି। କିନ୍ତୁ ତୁମ ପାଇଁ ରୋଗଶଯ୍ୟାରେ ଶୋଇବା ପାଇଁ ଗୋଟିଏ ବି ଲୋକ ମିଳିବେ ନାହିଁ।

ସଂସାରରେ ଟଙ୍କାପଇସା ବଳରେ ଅନେକ କିଛି କିଣି ହେବ, କିନ୍ତୁ ଜୀବନଟିଏ କିଣି ହେବ କି ?

ଅପରେସନ ଟେବୁଲ୍ ଉପରେ ଶୋଇବା ସମୟରେ ଅନୁତାପ କରିଛି ଯେ ‘ସୁସ୍ଥ ଜୀବନର ରହସ୍ୟ’ ପୁସ୍ତକଟି ସମୟ ଥାଉଁ ଥାଉଁ କାହିଁକି ନ ପଢ଼ିଲି !!

ଜୀବନର ଶେଷ ଦୃଶ୍ୟରେ ଅଭିନୟ କରିବା ସମୟରେ ଅନେକ କିଛି ମନେ ପଡେ। କିନ୍ତୁ ସେତେବେଳକୁ ନେଡିଗୁଡ଼ କହୁଣୀକୁ ବୋହିଯାଇ ଥାଏ।

ଜୀବନରେ ଯଦି ପାରୁଛ ସ୍ନେହ ପ୍ରେମ ଶ୍ରଦ୍ଧା ଦିଅ. ସାରା ସମାଜ ଓ ଦୁନିଆଁ ପାଇଁ ସ୍ନେହ ଓ ପ୍ରେମର ମହାସାଗରଟିଏ ହୋଇ ରହିଯାଅ ସମୟ ଥିବା ଭିତରେ। ଭଗବାନ ତୁମକୁ ଶାହ ହେବେ ।ରାଗ ହିଂସା ଅହଂକାର ଏ ସବୁ କେବଳ ମଣିଷ କୁ ତଳିତଳାନ୍ତ କରିବାକୁ ସୃଷ୍ଟି ହୋଇଛନ୍ତି ।ଆଜିର ଚିନ୍ତା ,ଭାବନା ,ସ୍ୱପ୍ନ ଯଦି କାଲିକି ନାହିଁ ତାହେଲେ ଆମେ ମଣିଷ ମାନେ କିଛି ବୁଝିପାରୁନେ କାହିଁକି।ତେଣୁ ଟିକେ ନିଜକୁ ପଚାର ଆଜି ଆମେ ଯେଉଁ ଧନ, ଗରିବ, ନିରୀହ ତଥା ନେସ୍ପେସିତ ମାନଙ୍କ ଆଖିରେ ଧୂଳି ଦେଇ କମେଇ ବ୍ୟାଙ୍କ ବାଲାନ୍ସ ତଥା ସମ୍ପତି ବଢେଇବାରେ ବ୍ୟସ୍ତ ରହୁଛେ ସେ ଧନ କିଏ ଭୋଗିବ !

ତେଣୁ ନିଜର ମୂଲ୍ୟ ବୁଝ, ଅନ୍ୟମାନଙ୍କ ପାଇଁ ଏକ ଆଲୋକ ବର୍ତ୍ତିକା ହୋଇ ରହିଯାଅ।