ବାବନା ଭୂତ କଥା

ଆମ ବୈତରଣୀ ନଈ କୂଳ କୁ ଲାଗି ଯେଉଁ ମସ୍ତବଡ ବରଗଛ ଟାଏ ଅଛି ….

 

ଆମ ବୈତରଣୀ ନଈ କୂଳ କୁ ଲାଗି ଯେଉଁ ମସ୍ତବଡ ବରଗଛ ଟାଏ ଅଛି ଠିକ ସେଇଠି ଥାଏ ଗୋଟାଏ ବଡ଼ ଭୂତ । ଭୂତ ତ ନୁହେଁ ଗୋଟାଏ ବଡ଼ ଆତଙ୍କ । ସଞ୍ଜ ଛଅ ଟା ହେଉ ନ ହେଉଣୁ ସେ ପାଖ ରାସ୍ତା ପୁରା ବନ୍ଦ । ଲୋକେ କହନ୍ତି ସେ କୁଆଡେ ଲୋକ ମାନଙ୍କୁ ଗଛ ଉପରକୁ ଉଠାଇ ନେଇ ଯାଏ । ବାପ ରେ ବାପ । ବଡ଼ ଲୋକ ତ ଡରନ୍ତି ସାନ ପିଲା ନ ଡରିବେ କାହିଁକି ।

ସେ ଦିନ ସୋନୁ ର ସ୍କୁଲଛୁଟି ହେଲା ବେଳକୁ ଖୁବ ବର୍ଷା ହେଲା । କିଏ କୁଆଡେ ଓଦା ମୋଦା ହୋଇ ନିଜ ନିଜ ପିଲାମାନଙ୍କୁ ଘରକୁ ନେଇଗଲେ । ସୋନୁ ର ରିକ୍ସାବାଲା ଆସିନାହିଁ । କେତେ ବେଳୁ ବର୍ଷା ବି ଛାଡି ଗଲାଣି । ସ୍କୁଲ ବାରଣ୍ଡା ରେ ସେ ଏକୁଟିଆ । ଶିକ୍ଷକ ମାନେ ମଧ୍ୟ ସ୍କୁଲ ରେ ଚାବି ଦେଇ ଚାଲି ଗଲାଣି । ସଞ୍ଜ ହୋଇ ରାତି ଆସିଲା । ଠିଆ ହୋଇ ସୋନୁ ର ଗୋଡ଼ ବିନ୍ଧିଲାଣି । ତା’ ସାଙ୍ଗକୁ ଏ ସଂଜୁଆ ମଶା ଗୁଡାକ ତା’ କଅଁଳିଆ ଗୋଡ କୁ ଛୁଞ୍ଚି ପରି ଫୋଡିଲେଣି । ସୋନୁ କୁ ଡର ମାଡ଼ିଲା । ରିକ୍ସାବାଲା ଉପରେ ସେତେ ରାଗ ଲାଗିଲା । ଧୀରେ ଧୀରେ ଚାଲି ଚାଲି ରାସ୍ତା ଉପରକୁ ଆସିଲା । ତା ପରେ ଚାଲିଲା ଘର ଆଡ଼େ । ଆଠ ବର୍ଷ ର ପିଲା ସୋନୁ । ଚାଲୁ ଚାଲୁ ଓଦା ରାସ୍ତା ଉପରେ କେତେ କଚଡl ଖାଇଲାଣି । ଘରକୁ ଯାଇ ମାଆ ଙ୍କ ଆଗରେ ରିକ୍ସାବାଲା ଯେମିତି ତାକୁ ହଇରାଣ କଲା ସବୁ କହିବ ।

ଏମିତି ଭାବୁ ଭାବୁ କେତେବେଳେ ସେ ସେ ଭୁତ ବରଗଛ ପାଖକୁ ଚାଲିଆସିଛି ଜାଣି ପାରି ନାହିଁ । ହଠାତ ମଡ଼ମଡ଼ ହୋଇ ବରଗଛ ର ଡାଳ ଟା ଉପରୁ ଓହ୍ଲାଇ ପଡିଲା ଗୋଟାଏ ବଡ଼ ଭୁତ । ଦେହ ଟା କଳା ମଚମଚ । ଶିଙ୍ଗ ଦ୍ଵି’ ଟା ଉଠିଛି ଉପରକୁ । ଆଖିଗୁଡ଼ାକ ରୁ ନିଆଁ ବାହାରୁଛି । ନାକ ପୋଡା ରୁ ଧୂଆଁ ଭୁସ ଭାସ୍ ହୋଇ ବାହାରୁଛି । ତା ହାତ ଦ୍ଵି ଟା ରେ ଗଛ ଉପରକୁ ଟେକି ନେଇଗଲା ସୋନୁ କୁ । ବିଚରା ସୋନୁ ଟା ଏତେ ଡରିଗଲା ଯେ ତା ଚେତା ଚାଲିଗଲା ।

ଭୁତ ର ପୁଅ ନାଁ ବାବୁନା । ସେ ତା ପୁଅ କୁ କହିଲା- ମୁଁ ଯାଉଛି ତେଲ , ମସଲା ଆଣିବାକୁ । ତୁ ଏଇଟା କୁ ଜଗିଥିବୁ । ଆଜି ବର୍ଷା ପାଗ ରେ ଏହାକୁ ମାରି ତା’ର ମାଂସ ଭୋଜି କରିବା । ଭାରି ମଜା ହେବ ।
ଭୁତ ଚାଲିଗଲା । ବାବୁନା ସୋନୁ କୁ ଜଗି ରହିଲା । ଯେତେବେଳେ ତା’ ର ଚେତା ଆସିଲା କହିଲା- ସୋନୁ ! ତୁ ଯେମିତି ସାନ ପିଲା , ମୁଁ ବି ସେମିତି । ତେଣୁ ତୁ ମୋର ସାଙ୍ଗ । ତୋର କିଛି ଅସୁବିଧା ହେବନି । ଚାଲ ସେ ନଈ କୂଳ ର ଜଙ୍ଗଲ ଭିତରେ ଲୁଚିଯିବା । ସେଇଆ ହେଲା । ଦୁଇ ଜଣ ଏମିତି ଲୁଚିଗଲେ ଯେ ଭୂତ ସେମାନଙ୍କୁ ଆଉ ପାଇଲା ନାହିଁ । ସୋନୁ ତା ପେଟ କୁ ଅଣ୍ଡାଳି ଅଣ୍ଡାଳି କହିଲା-
ମୋତେ ଭାରି ଭୋକ ଲାଗିଲାଣି । ବାବୁନା କହିଲା- ହଉ, ତୁ ଏଇଠି ଥା । ମୁଁ ଯାଉଛି ତୋ ପାଇଁ ଖାଇବାକୁ ଆଣିବି । ବାବୁନା ତ ଭୂତ । ତା ହାତ ଦ୍ଵି ଟା କୁ ଉପରକୁ ଟେକି ଏମିତି ଝlଡ଼ିଦେଲା ଯେ ଡେଣା ଦ୍ଵି ଟା ବାହାରି ପଡ଼ିଲା । ଆକାଶ ରେ ଉଡି ଉଡି ଯାଇ ପହଁଚି ଗଲା ଗୋଟିଏ ଛକ ହୋଟେଲ ରେ । ଦୁଆର ପାଖେ ଯେମିତି ହୋ କିନା କହିଦେଇଛି, ଭୂତ କୁ ନ ଡରେ କିଏ । ଯିଏ ଯୁଆଡେ ଥିଲେ ଭୂତ ଭୂତ କହି ହୋଟେଲ ଛାଡି ଦୌଡ଼ିଲେ । ବାବୁନା ଗୋଟାଏ ପଲିଥିନ ରେ ଯେତେ ପାରିଲା ସେତେ ଖାଦ୍ୟ ବାନ୍ଧିଲା । ତା ପରେ ପୁଣି ଉଡି ଉଡି ସୋନୁ ପାଖରେ ପହଞ୍ଚି ଗଲା । ସୋନୁ ଖାଇ ହାକୁଟି ମାରି ଆଉ ଟିକିଏ ପେଟ କୁ ଆଉଁସି ଦେଲା । କହିଲା- ବାଃ ରେ ସାଙ୍ଗ ବାଃ । ଆଜି ବଢିଆ ଖାଇବାକୁ ଦେଲୁ । ଆଉଟିକିଏ ଗଲା । ସୋନୁ ପୁଣି କୁନ୍ଥେଇଲା । ବାବୁନା କହିଲା- କିରେ , ପୁଣି କଣ ହେଲା ?
ସୋନୁ କହିଲା- ମୋ ପ୍ୟାଣ୍ଟ ଟା । ଓଦା ହୋଇ ଗନ୍ଧ କଲାଣି । ବାବୁନା କହିଲା- ହଉ, ତୁ ଏଇଠି ଥା । ମୁଁ ଏଇ ସଙ୍ଗେ ସଙ୍ଗେ ଆସୁଛି ।
ବାବୁନା ପୁଣି ଆକାଶ ରେ ଉଡି ଉଡି ପହଞ୍ଚି ଗଲା ଡ୍ରେସ ଦୋକାନ ରେ । ଦୋକାନୀ ବୁଢା ର ଟେବୁଲ ତଳେ ପଶିଯାଇ ଯେତେବେଳେ ସେପଟେ ବାହାରି ହୋ କିନା କହିଦେଉଛି ଭୂତ ଭୂତ କହି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ । ବାବୁନା ବିଦ୍ୟାଳୟ ଗଣ ବେଶ ର ପ୍ୟାଣ୍ଟ ଟିଏ ଆଉ ସାର୍ଟ ଟିଏ ଧରି ପୁଣି ସୋନୁ ପାଖରେ ପହଞ୍ଚି ଗଲା ।

ସକାଳ ହେଲା । ସୋନୁ ର ବାପା ମାଆ ରାତି ସାରା ତାକୁ ଖୋଜି ଖୋଜି ସକାଳ ୧୦ ଟା ବେଳେ ସ୍କୁଲ ରେ ପହଁଚିଲେ । ସୋନୁ ସେତେବେଳେ ପ୍ରାର୍ଥନା ଶ୍ରେଣୀ ରେ ବସି ଗାଉଥିଲା-
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ ।

ରବୀନ୍ଦ୍ରକୁମାର ବେହେରା

ନଦୀକୂଳ ସାହୀ, ଶିଖରପୁର,କଟକ-୪