୬ ବର୍ଷ ଭିତରେ ୮୧୩ ଏନକାଉଂଟର: ପ୍ରତି ମାସରେ ୧୦

ଛତିଶଗଡ଼ରେ ସର୍ବାଧିକ ୨୬୪, ବିହାରରେ ସର୍ବନିମ୍ନ ୨୫ …

ନୂଆଦିଲ୍ଲୀ: ଦିନ ଥିଲା ଏନକାଉଂଟର ନାଁ ଶୁଣିଲେ, ତାଟିକବାଟ ପଡ଼ିଯାଉଥିଲା । ଅପରାଧୀମାନେ ଆତ୍ମଗୋପନ କରିଥିବା ସ୍ଥାନରୁ ବାହାରକୁ ଗୋଡ଼ କାଢ଼ିବା ପାଇଁ ଡରୁଥିଲେ । କିନ୍ତୁ ଆଜିକାଲି ଏନ୍‌କାଉଂଟର ଏକ ମର୍ଯ୍ୟାଦାଜନକ ଶବ୍ଦ । ଗୌରବର ବିଷୟ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଜଣେ ସୁଟରକୁ ଏନ୍‌କାଉଂଟର କରିଛି ପ୍ରୟାଗରାଜ ପୁଲିସ । ସୁଟର ନାମ ବିଜୟ ଚୌଧୁରୀ ଓରଫ ଉସମାନ । ପୁଲିସ କହିଛି, ଅଭିଯୁକ୍ତ ବିଜୟ ଚୌଧୁରୀ ଏନକାଉଂଟରରେ ଗୁରୁତର ଆହତ ହୋଇଥିଲା । ଡାକ୍ତରଖାନା ନିଆଯାଉଥିବା ବାଟରେ ତା’ର ପ୍ରାଣ ଚାଲିଯାଇଥିଲା ।

ଉମେଶ ପାଲଙ୍କୁ ଫେବୃଆରୀ ୨୪ ତାରିଖରେ ତାଙ୍କ ଘର ବାହାରେ ଗୁଳି ମାରି ହତ୍ୟା କରି ଦିଆଗଲା । ଉମେଶ ପାଲ ୨୦୦୫ରେ ରାଜୁପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ । ରାଜୁପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆତିକ ଅହମ୍ମଦ ଏବେ ଗୁଜରାଟ ଜେଲରେ ଅଛି । ଉମେଶ ପାଲଙ୍କର ଧର୍ମପତ୍ନୀ ଜୟା ପାଲ ଏହି ମାମଲାରେ ଆତିକ ଅହମ୍ମଦ, ତାଙ୍କ ପତ୍ନୀ ଶାଇସ୍ତା ପରବିନ୍‌, ଭାଇ ଅଶରଫ, ଦୁଇପୁଅ, ଗୁଡୁ ମୁସଲିମ ଓ ଗୁଲାମଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ମୃତକ ବିଜୟ ଚୌଧୁରୀ ପ୍ରଥମେ ଉମେଶ ପାଲ ଉପରକୁ ଗୁଳି ଚଳାଇଥିଲା ବୋଲି ଘୁମଗଂଜ ଏସ୍‌ଏଚ୍‌ଓ ରାଜେଶ କୁମାର ମୌର୍ଯ୍ୟ କହିଛନ୍ତି । ଏନକାଉଂଟର ସମୟରେ କନଷ୍ଟେବଲ ନରେନ୍ଦ୍ର ପାଲଙ୍କ ହାତରେ ଚୋଟ ଲାଗିଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଏନକାଉଂଟର ଶିକାର ବିଜୟ ଓରଫ ଉସମାନଙ୍କ ପତ୍ନୀ କହିଛନ୍ତି ଯେ ଉସମାନଙ୍କ ଛଡ଼ା ତାଙ୍କ ଜୀବନରେ ଆଉ କେହି ନଥିଲେ; ତାଙ୍କ ଆଗରେ ଓ ପଛରେ କେହି ନଥିବାରୁ ତାଙ୍କୁ ମଧ୍ୟ ଏନକାଉଂଟର କରି ଦିଆଯାଉ । ଉସମାନ ଏନକାଉଂଟର ପ୍ରତି ପରିବାର ସନ୍ଦେହ ପ୍ରକଟ କରିଛି । ଏନକାଉଂଟର ମାମଲାରେ ପୁଲିସକୁ ଟାର୍ଗେଟ୍‌ କରାଯିବା ମାମୁଲି । କାରଣ ପୁଲିସ ସବୁବେଳେ ନିଜକୁ ସୁହାଇବାକୁ ଯାଇ ଆତ୍ମରକ୍ଷା ପାଇଁ ଗୁଳି କରିଥିବା ବିଷୟ କହିଥାଏ । ପୁଲିସ କେତେବେଳେ କାହାକୁ ଗୁଳି କରିବ; ତାହା କଳନା କରିବା ଅସମ୍ଭବ । କୋଉ ପରିସ୍ଥିତିରେ ପୁଲିସର ଗୁଳିଚାଳନାକୁ ଅପରାଧ ବିବେଚନା କରାଯିବ; ତାହା ପୁଲିସ ପ୍ରଶାସନର ଅଡୁଆ ସୁତା ।

ଗତ ୬ ବର୍ଷ ଭିତରେ ପୁଲିସ ଏନକାଉଂଟରରେ ୮୧୩ ଜଣ ଲୋକ ମରିଛନ୍ତି । ସବୁଠାରୁ ଛତିଶଗଡ଼ରେ ସର୍ବାଧିକ ୨୬୪ ଏନକାଉଂଟର ହୋଇଥିଲା ବେଳେ ୟୁପିରେ ୧୨୧ ଓ ବିହାରରେ ୨୫ ଜଣଙ୍କୁ ଏନକାଉଂଟର କରାଯାଇଛି । ୮୧୩ ଏନକାଉଂଟର ମାମଲା ଭିତରୁ ୪୫୯ ମାମଲାର ବିଚାର ସରିଛି । ୩୫୪ଟି ମାମଲାର ତଦନ୍ତ ଗଡ଼ି ଚାଲିଛି । ବିଗତ ୬ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ, ପ୍ରତି ମାସରେ ୧୦ଟି ଏନ୍‌କାଉଂଟର ମାମଲା ଘଟୁଛି ।