ମଣିପୁରରେ ୧୦ ଦିନିଆ କର୍ଫ୍ୟୁ ଘୋଷଣା

ଇମ୍ଫାଲ : ଦେଶରେ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ମଣିପୁରରେ ଏବେ କରୋନାର ଡେଲଟା ଭ୍ୟାରିଆଣ୍ଟକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜୁଲାଇ ଆସନ୍ତା ୧୮ ତାରିଖରୁ ୨୭ ତାରିଖ ଯାଏଁ ରାଜ୍ୟରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଥିବା ସୂଚନା ମିଳିଛି । କର୍ଫ୍ୟୁ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବା ସହ ଟିକାକରଣ, ଟେଷ୍ଟିଂ, ସ୍ୱାସ୍ଥ୍ୟ ସେବା, ପାଣି ଯୋଗାଣ, ଟେଲିକମ ତଥା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସେବା ଜାରି ରହିବା ଲାଗି ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି ଯେ, ବୈଠକ ତଥା ବିଚାର ବିମର୍ଶ ପରେ ଏଭଳି କଡା ପଦକ୍ଷେପ ନିଆଯାଇଛି । ମହାମାରୀକୁ ରୋକିବା ପାଇଁ ଯାହା କିଛି ହୋଇପାରିବ ତାହା କରାଯାଉଛି । ରାଜ୍ୟର ଅନେକ ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ୍‌ ଲଗାଯାଇଛି । ଏହା ସହିତ ଟିକାକରଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ଏହାବାଦ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହିଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ୧୦ ଉପରେ ରହୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୦ ଦିନିଆ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି ।