ସ୍ପୁଟନିକ-ଭି ପରେ ଦ୍ୱିତୀୟ କରୋନା ଟିକାକୁ ମଞ୍ଜୁରୀ ଦେଲା ଋଷିଆ

ମୋସ୍କୋ: ମହାମାରୀ କରୋନା ଟିକା ତିଆରି କରିବା ପାଇଁ ସମଗ୍ର ଦେଶ ଲାଗିପଡ଼ିଛି । ଏନେଇ କରୋନା ଟିକା ବାହାର କରିବା ପାଇଁ ଦୁନିଆର ସର୍ବଶକ୍ତିମାନ ରାଷ୍ଟ୍ର କୁହାଯାଉଥିବା ଆମେରିକା ମଧ୍ୟ ପଛେଇଯାଇଛି । ଏହାରି ଭିତରେ ଋଷିଆ ସ୍ପୁଟନିକ-ଭି ପରେ ଆଉ ଏକ ଏପିଭାକ କରୋନା ଟିକାକୁ ମଞ୍ଜୁରୀ ଦେଇଛି । ଏନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସୂଚନା ଦେଇଛନ୍ତି। ତୃତୀୟ ଟିକ୍ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ ଏହି ଅବସରରେ କହିଛନ୍ତି।

ସୂଚନା ଅନୁସାରେ,ସାଇବେରିଆରେ ଥିବା ଭେକ୍ଟର ସଂସ୍ଥା ଦ୍ୱାରା ଏପିଭାକ କରୋନା (EpiVacCorona) ଟିକାକୁ ବିକଶିତ କରାଯାଇଛି । ଗତମାସରେ ଏହି ଟିକା ମଣିଷଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା ମଧ୍ୟ ଏଯାବତ ଏହାର ଫଳାଫଳ ଆସିନାହିଁ। ଏବେ ଅଧିକରୁ ଅଧିକ ଲୋକଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟରେ ପାଖାପାଖି ୩୦ ହଜାର ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ୩୦ ହଜାର ଲୋକଙ୍କ ମଧ୍ୟରୁ ୫ ହଜାର ସାଇବେରିଆର ବୋଲି ଜଣାପଡ଼ିଛି। ପୁଟିନ୍ କହିଛନ୍ତି ଏବେ ଟିକା ଉତ୍ପାଦନକୁ ଆହୁରି ବଢ଼ାଇବାକୁ ହେବ।

ଅନ୍ୟ ଦେଶ ସହିତ ତାଙ୍କ ସରକାର ଯୋଗାଯୋଗରେ ଅଛନ୍ତି। ଖୁବଶୀଘ୍ର ଟିକା ସମସ୍ତ ଦେଶକୁ ପଠାଯିବ ବୋଲି ସେ କହିଛନ୍ତି। ଏପିଭାକ କୋରୋନା ଟିକା ପେପ୍ଟାଇଡ୍ ଆଧାରିତ ଟିକା। ଏହି ଟିକା କେବଳ ଋଷିଆରେ ବ୍ୟବହାର ପାଇଁ ଲାଇସେନ୍ସ ପାଇଛି। ଏହା ଏକ ସିନ୍ଥେଟିକ୍ ଟିକା ବୋଲି ଜଣାପଡ଼ିଛି। ସେହିପରି ତୃତୀୟ ଟିକା ସେଣ୍ଟ ପିଟର୍ସବର୍ଗରେ ତିଆରି ହେଉଛି ବୋଲି ପୁଟିନ୍ କହିଛନ୍ତି। ଅକ୍ଟୋବର ୧୯ ବେଳକୁ ୩୦୦ ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ ହେବ ବୋଲି ସେ କହିଛନ୍ତି।