ଦିଲ୍ଲୀରୁ ଉହାନକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନକୁ ଭାରତରୁ ପୁଣିଥରେ ବିମାନ ସେବା ଆରମ୍ଭ କରାଯିବ। ଆସନ୍ତା ୩୦ ତାରିଖରୁ ଏୟାର ଇଣ୍ଡିଆ ଅପରେସନ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ଡିସେମ୍ବର ମାସରେ ଉହାନରୁ ହିଁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ତେବେ ଉହାନରେ ଚାଇନା ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ କଟକଣା ଜାରି କରିଥିଲେ। ସ୍ଥିତିରେ ସୁଧାର ଆସିବାରୁ ଜୁନ୍‌ ମାସରୁ ଉହାନରେ ଲାଗିଥିବା ସମସ୍ତ କଟକଣାକୁ ପ୍ରତ୍ୟାହାର କରାଯାଇଥିଲା।

ଉଡନାକୁ ନେଇ ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୩୦ରେ ବନ୍ଦେ ଭାରତ ମିଶନ ଅଧୀନରେ ଦିଲ୍ଲୀରୁ ଉହାନ ସେକ୍ଟରକୁ ବିମାନ ଉଡ଼ାଣ କରିବ। ଏହାପୂର୍ବରୁ ଚାଇନାର ବିଭନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୫ଥର ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ପଠାଇଥିଲା। ପୁଣିଥରେ ୬ଷ୍ଠ ଥର ପାଇଁ ଭାରତରୁ ଚାଇନାକୁ ବିମାନ ଯିବ। ନୂଆଦିଲ୍ଲୀରୁ ଯାଉଥିବା ଲୋକମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ। ପୂର୍ବରୁ ଅକ୍ଟୋବର ୨୩ରେ ଏହା ଉଡ଼ାଣ ଭରିବାର ଥିଲା। କିନ୍ତୁ ଏବେ ଏହା ୩୦ରେ ଉଡ଼ାଣ କରିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।