ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ ରାଫେଲ ଉଡାଇଲେ

ଏୟାରବେସରୁ ପୂର୍ବାଞ୍ଚଳର ସୁରକ୍ଷା ନେଇ ରାଫେଲ ସ୍କାର୍ଡନ ମୁତୟନ କରାଯିବା ସହ ପ୍ରସ୍ତୁତି ଜାରି ରହିଛି…

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ ଉଡାଇଲେ ରାଫେଲ ଫାଇଟର ବିମାନ । ପଶ୍ଚିମବଙ୍ଗ ସ୍ଥିତ ହାସିମାରା ଏୟାରବେସରୁ ଉଡାଇଲେ ରାଫେଲ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବାୟୁସେନା କହିଛି, ହାସିମାରା ଏୟାରବେସରୁ ପୂର୍ବାଞ୍ଚଳର ସୁରକ୍ଷା ନେଇ ରାଫେଲ ସ୍କାର୍ଡନ ମୁତୟନ କରାଯିବା ସହ ପ୍ରସ୍ତୁତି ଜାରି ରହିଛି । ଯାହାର ଏକ ଅଂଶ ବିଶେଷ ସ୍ୱରୂପ ଇଷ୍ଟର୍ଣ୍ଣ କାମାଣ୍ଡ ମୁଖ୍ୟ ରାଫେଲ ଉଡାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ୨୦୧୬ ରେ ଫ୍ରାନ୍ସରୁ ୩୬ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ଆଣିବା ପାଇଁ ଚୁକ୍ତି କରିଥିଲେ ।

ଫଳରେ ୨୯ ଜୁଲାଇ ୨୦୨୦ରେ ଭାରତକୁ ମିଳିଥିଲା ପ୍ରଥମ ବ୍ୟାଚ ରାଫେଲ ଯୁଦ୍ଧ ବିମାନ । ମୋଟ ୩୬ ରାଫେଲ ବିମାନରୁ ୬ଟି ପ୍ରଶିକ୍ଷଣ ପାଇଁ ବ୍ୟବହାର ହେବାକୁ ଥିବା ବେଳେ, ଅବଶିଷ୍ଟ ଅପରେସନରେ ସାମିଲ ହେବ । ରାଫେଲର ପ୍ରଥମ ସ୍କ୍ୱାର୍ଡନ ଅମ୍ବାଲା ଏୟାରବେଶରେ ମୁତୟନ ହୋଇଥିବା ବେଳେ, ଦ୍ୱିତୀୟ ସ୍କ୍ୱାର୍ଡନ ପଶ୍ଚିମବଙ୍ଗ ହାସିମାରା ଏୟାରବେସରେ ମୁତୟନ କରାଯାଇଛି ।