ବେଲୁନ ଫଟାଇଲା ଆମେରିକା, ରାଗିଗଲା ଚୀନ୍‌

ଆମେରିକାର ଏପରି ପଦକ୍ଷେପରେ ଚୀନ୍‌ ରାଗି ଲାଲ ପଡ଼ିଯାଇଛି….

ୱାଶିଂଟନ: ଆମେରିକା ଆକାଶକୁ ଉଡ଼ି ଯାଇଥିବା ଚୀନ୍‌ ବେଲୁନଟିକୁ ରକେଟ୍‌ ମାଡ଼ କରି ଫୁଟାଇ ଦିଆଯାଇଛି । ବେଲୁନଟି ଫୁଟିଯିବା ପରେ ପବନରେ ଭାସିଭାସି ପ୍ରାୟ ୯ କିଲୋମିଟର ଦୂରରେ ଭୂମିକୁ ସ୍ପର୍ଶ କରିଥିଲା । ୱାଶିଂଟନ୍‌ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଚୀନ୍‌ ଗୁପ୍ତଚର ବେଲୁନ ପଠାଇଛି ବୋଲି ହ୍ୱାଇଟ୍‌ ହାଉସ୍‌ ଅଭିଯୋଗକୁ ଖଣ୍ଡନ କରିଥିଲା ବେଜିଂ । ବେଲୁନଟିକୁ ଏକ ଗବେଷଣାତ୍ମକ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା ମାତ୍ର ତାହା ଆକସ୍ମିକ ଭାବେ ଆମେରିକା ଆଡ଼କୁ ପଳାଇଥିଲା ବୋଲି ବେଜିଂ ସ୍ପଷ୍ଟ କରିଥିଲା ।

ସୂଚନା ମୁତାବକ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଆଦେଶ ପାଇବା ମାତ୍ରେ ଆମେରିକା ବାୟୁସେନା ହାଇଟେକ୍‌ ଏଫ୍‌-୨୨ ରାପ୍ଟର ବିମାନ ସହାୟତାରେ ଚୀନ ବେଲୁନଟିକୁ ଫଟାଇ ଦେଇଛି । ବେଲୁନଟିକୁ ତଳକୁ ଖସାଇବା ପାଇଁ ସିଙ୍ଗଲ୍‌ ସାଇଡ୍‌ ୱିଣ୍ଡର ରକେଟ୍‌ ମାଡ଼ କରାଯାଇଥିଲା । ବେଲୁନଟିକୁ ଧୀରେଧୀରେ ତଳକୁ ଖସି ପଡ଼ିଥିଲା ଓ କେହି ମୃତାହତ ହୋଇଥିବାର ଖବର ପ୍ରକାଶ ପାଇନି । ସାଉଥ୍‌ କରୋଲିନାର ସମୁଦ୍ର ତଟରୁ ପ୍ରାୟ ୬ ମାଇଲ୍‌ ଦୂର ଆଟଲାଂଟିକ୍‌ ମହାସାଗରରେ ପଡ଼ିଯାଇଛି ।

ବେଲୁନ ଖସାଇବା ପାଇଁ ଭର୍ଜିନିଆର ଲାଙ୍ଗଲି ବାୟୁସେନା ବିମାନଘାଟିରୁ ବିମାନ ଉଡ଼ାଣ କରିଥିଲା । ଆମେରିକାର ଏପରି ପଦକ୍ଷେପରେ ଚୀନ୍‌ ରାଗି ଲାଲ ପଡ଼ିଯାଇଛି । ରାଗ ତମତମ ହୋଇ ବେଜିଂ କହିଛି, ଏହି ପ୍ରସଙ୍ଗଟିକୁ ଶାନ୍ତିର ସହିତ ସମାଧାନ ନକରି ୱାଶିଂଟନ୍‌ ବିବାଦପୂର୍ଣ୍ଣ ମୋଡ଼ ଦେଇଛି । ଲୋକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଆକାଶକୁ ଛଡ଼ା ଯାଇଥିବା ବେଲୁନଟିକୁ ରକେଟ୍‌ ମାଡ଼ କରି ଆମେରିକା ଅନ୍ତରାଷ୍ଟ୍ରୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି ।

ଚୀନ ତା’ର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ବେଜିଂ ଯାହା କରିଥିଲା, ତାହା ଏକ ଦୁର୍ଘଟଣା ଥିଲା । ମାତ୍ର ୱାଶିଂଟନ୍‌ ଯାହା କରିଛି, ତାହା ଅପରାଧ । ଆମେ ପ୍ରଥମରୁ କହି ଦେଇଥିଲୁ ଯେ ଆମେ ବେଲୁନ୍‌ କାରଣରୁ ଆମେରିକା ସେନା ବିପଦରେ ପଡ଼ିବାର ନାହିଁ । କିନ୍ତୁ ୱାଶିଂଟନ୍‌ ଆମ କଥା ଶୁଣିଲା ନାହିଁ ।ଆଗକୁ ଯାହା ପରିଣାମ ଘଟିବ, ସେଥିପାଇଁ ୱାଶିଂଟନ୍‌ ଦାୟୀ ରହିବ ।