ପୁଣି ବିଜ୍ଞାପନ ନେଇ ଟ୍ରୋଲ ହେଲେ ସବ୍ୟସାଚୀ

ମୁମ୍ବାଇ: ମଙ୍ଗଳସୂତ୍ରର ବିଜ୍ଞାପନ ପରେ ପୁଣିଥରେ ଟ୍ରୋଲ ହେଲେ ସବ୍ୟସାଚୀ ମୁଖାର୍ଜୀ । କିଛି ଦିନ ପୂର୍ବରୁ ଅଳଙ୍କାର ଡିଜାଇନର୍‌ ସବ୍ୟସାଚୀ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ବିବାଦ ଦେଖା ଦେଇଥିଲା । ପରେ ସେ କ୍ଷମା ମାଗିବା ସହ ବିଜ୍ଞାପନକୁ ହଟାଇ ଦେଇଥିଲେ । ବର୍ତ୍ତମାନ ସବ୍ୟସାଚୀ ତାଙ୍କ ଜୁଏଲେରୀ କଲେକ୍ସନର ଏକ ନୂଆ ବିଜ୍ଞାପନ ପୋଷ୍ଟର ସେୟାର କରିଛନ୍ତି । ଏହି ଅଳଙ୍କାରରେ ହୀରା, ମୋତି, ପନ୍ନା ଏବଂ ଆକ୍ୱାମରିନ୍‌ ଷ୍ଟୋନ୍‌ ବ୍ୟବହାର କରାଯାଇଛି ।

ଜୁଏଲେରୀ କଲେକ୍ସନର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ସାଢୀ ପିନ୍ଧିଛନ୍ତି । ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର କ୍ୟାରୀ କରିଛନ୍ତି । ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି । ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି । ଟ୍ରୋଲର୍ସ କହିଛନ୍ତି ଯେ, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି । ଆଉଜଣେ ଲେଖିଛନ୍ତି ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଟଙ୍କା ଆପଣଙ୍କୁ ସୁଖ କିଣି ଦେଇପାରିବ ନାହିଁ, ତେବେ ଏତେ ମୂଲ୍ୟବାନ ଅଳଙ୍କାରରେ ଟଙ୍କା କାହିଁକି ଖର୍ଚ୍ଚ କରିବେ? ଆଉଜଣେ ଲେଖିଛନ୍ତି ସେମାନେ କାହାର ଶୋକ ସଭାକୁ ଯିବାକୁ ପ୍ରସ୍ତୁତ କି? ସେହିପରି ଆଉ ଜଣେ ଲେଖିଛନ୍ତି-କିଏ ମରିଛି? ।