ପୁଣି ଗ୍ରାହକଙ୍କୁ ଝଟକା: କ୍ରମାଗତ ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଝଟକା । ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୫୫ ପଇସା ବୃଦ୍ଧି ହୋଇଛି । ଦେଶରେ ଲଗାତାର ବଢିଚାଲିଛି ପେଟ୍ରୋଲ୦-ଡିଜେଲ ଦର । ଫଳରେ ଗତ କିଛିଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ୩ ଟଙ୍କା ୭୦ ଏବଂ ୩ ଟଙ୍କା ୭୫ ପଇସା ବଢିଛି । ଏହି ନୂଆ ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୮.୮୭ ଟଙ୍କାରୁ ବୃଦ୍ଧି ପାଇ ୯୯.୧୧ ଟଙ୍କା ହେବା ସହ ଡିଜେଲ ମଧ୍ୟ ୮୯.୮୭ ଟଙ୍କାରୁ ୯୦.୪୨ ଟଙ୍କାରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପେଟ୍ରୋଲ-ଡିଜେଲ ମୂଲ୍ୟରେ ୮୦ ପଇସା ବୃଦ୍ଧି ହୋଇଥିବା ବେଳେ ରବିବାର ୫୦ ପଇସା ଓ ୫୫ ପଇସା ବଢିଛି । ରବିବାର ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ବୃଦ୍ଧି ସହ ରେଟ୍‌ ୧୧୩.୮୮ ଏବଂ ଡିଜେଲ ୫୮ ପଇସା ବଢି ୯୮.୧୩ ଟଙ୍କା ହୋଇଯାଇଛି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୧୨୦ ଡଲାରରେ ପହଞ୍ଚିଛି । ଏଭଳି ଭାବେ ଦରଦାମ ବୃଦ୍ଧି ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା କହି କଂଗ୍ରେସ ଏବଂ ଅନ୍ୟ ବିରୋଧି ଦଳ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।