ଆପେ ବଂଚିଲେ ବାପର ନାଁ: ଲୋକ ଦେଖାଣିଆ ଶୀତ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଓଡ଼ିଶାର ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନେ ହାତରେ ଗୁଡ଼ାଏ ଫାଇଲ ଧରି ଲୋକସଭା ଓ ରାଜ୍ୟସଭାରେ ମହାନାଟକ କରିବେ । ସେଥିପାଇଁ ଦଳ ହାଇକମାଣ୍ଡଙ୍କ ନିକଟରୁ ଆଶୀର୍ବାଦ ପାଇଛନ୍ତି ।

ବିଜେଡି ସାଂସଦମାନେ ଅଳିଆଗଦାରୁ ଦଶଟି ଫାଇଲ ସାଉଁଟି ଚଳିତ ଅଧିବେଶନକୁ ସରଗରମ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ହେଉଛି ବିଧାନ ପରିଷଦ ମଞ୍ଜୁର । ସାଢେ଼ ଚାରିକୋଟି ଲୋକଙ୍କ ହାରି ଗୁହାରି ଶୁଣିବାକୁ ୧୪୭ ଜଣିଆ ବିଧାନସଭା ଯଥେଷ୍ଟ ନୁହେଁ । ବିଧାନ ପରିଷଦଟିଏ ଗଠନ କରାଗଲେ, ସେଥିରେ କିଛି ଅସନ୍ତୁଷ୍ଟ ରାଜନେତାଙ୍କୁ ସନ୍ତୁଷ୍ଟ କରାଯିବ । କିଛି ଅଣନିର୍ବାଚିତ ଲୋକଙ୍କୁ ବସାଇ ସେମାନଙ୍କ ପାଟି ବନ୍ଦ କରାଯିବ ।

ବିଜେଡିର ପୁରୁଣା ଫାଇଲଗୁଡ଼ିକ ଆଗାମୀ ନିର୍ବାଚନର ପ୍ରଧାନ ଅସ୍ତ୍ର ଭାବେ କାମ କରିବ । ନବୀନ ସରକାରଙ୍କ ଶାସନ ସଂପର୍କୀତ ଦୋଷତ୍ରୁଟିକୁ ସଂସଦରେ ଉଠାଇ ଅପଦସ୍ତ କରିବାକୁ ବିଜେପି ସାଂସଦମାନେ ପ୍ରସ୍ତୁତ ହୋଇଛନ୍ତି । କଂଗ୍ରେସର ସାଂସଦମାନେ ବିଜେଡି-ବିଜେପି କଳିରେ ତାଳି ମାରିବା କାମ କରିବେ ।