ଶୂନ ସପ୍ତାହ: ରକତେ ଭିଜୁଛି ସଡ଼କ; ୩ ଦିନରେ ମଲେଣି ୩୨

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରୀ ସ୍ତରରେ ନାନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାତ୍ର ତାହା ବିଫଳ ପ୍ରମାଣିତ ହୋଇଛି । ଡିସେମ୍ବର ପ୍ରଥମ ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପାଳିବା ପାଇଁ ସରକାରଙ୍କ ପକ୍ଷରୁ ଯେତେ ପଦକ୍ଷେପ ଗ୍ରହଣ କରାଗଲା, ତାହା ପାଣିରେ ପଡ଼ିଲା । ବିଗତ ତିନିଦିନ ଭିତରେ ଓଡ଼ିଶାରେ ପ୍ରାୟ ୩୨ ଜଣ ପ୍ରାଣ ହରାଇଛନ୍ତି । ଡିସେମ୍ବର ୧ ତାରିଖରେ ୨୦ ଜଣ, ୨ ତାରିଖରେ ୬ ଜଣ ଓ ୩ ତାରିଖରେ ୬ ଜଣ ସଡ଼କ ଦୁର୍ଘଟଣାରେ ମରିଛନ୍ତି ।

କୋଉଠି ରାସ୍ତା ନିର୍ମାଣଜନିତ ତ୍ରୁଟିକୁ ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି ତ କୋଉଠି ଚାଳକଙ୍କ ଅସାବଧାନତାକୁ । କୋଉଠି ଟ୍ରାଫିକ୍‌ ଜାମକୁ ଦାୟୀ କରାଯାଉଛି ତ କୋଉଠି ଅମାନିଆ ଚାଳକଙ୍କୁ ଦାୟୀ କରାଯାଉଛି ।

ସତକଥା ହେଉଛି, ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଉଦାହରଣ ସ୍ୱରୂପ, ହାଇଟେକ୍‌ ଛକ ନିକଟ ଫ୍ଲାଏ ଓଭର ନିକଟରେ ଟ୍ରାଫିକ୍‌ ପୁଲିସ ଓ ଥାନା ପୁଲିସ ଠିଆ ହୋଇ ଗପସପ କରୁଛନ୍ତି । ଇଛା ହେଲେ ପତାକା ହଲାଇ ଗାଡ଼ିମଟର ଅଟକାଉଛନ୍ତି ନହେଲେ ମୋବାଇଲ ଫୋନ୍‌ ଘାଂଟୁଛନ୍ତି ।

ଯାନବାହନଗୁଡ଼ିକର ଶୃଙ୍ଖଳିତ ଚଳପ୍ରଚଳ ପାଇଁ ଯତ୍ନବାନ ହେବା ଦରକାର ନାହିଁ । ଲୋକମାନେ ଦୁର୍ଘଟଣାର ଶିକାର ହେଲେ ସେମାନଙ୍କର ଯାଏ ଆସେ କେତେ? ଦୀର୍ଘଦିନ ହେଲାଣି ଫ୍ଲାଇଓଭର କଡ଼ରେ ଖାଲଖମା ରାସ୍ତାଟିଏ ରହିଛି । ସେହି ରାସ୍ତା ଦେଇ ଅତି ବିପଦଜନକ ଭାବେ ଉଭୟ ବାଇକ୍‌ ଓ ଚାରିଚକିଆ ଚଳପ୍ରଚଳ କରୁଛି ।