ଦାନ୍ତନିକୁଟା ବିଏମସି: ଠିକାସଂସ୍ଥାକୁ ଦାୟୀ କରି ଖସିଯିବାକୁ ବସିଛି

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ଭିତରେ ଠିକାକାମ ସାରି ନଥିବାରୁ ବିଏମସି ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ଲୋକଙ୍କ ଦୃଷ୍ଟିରେ ଧୁଆମୁଗ ଦେଖାଇ ହେବାକୁ ଯାଇ ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ଭୁବନେଶ୍ୱର ନାଗରିକ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି ।

ଭୁବନେଶ୍ୱର ସହରାଂଚଳ ବାସିନ୍ଦାଙ୍କ ପ୍ରତି ଉଭୟ ଠିକାସଂସ୍ଥା ଓ ବିଏମସି ମିଳିତ ଭାବେ ସେବା ଖିଲାପ କରିଛନ୍ତି । କେବଳ ଠିକାସଂସ୍ଥା ବିରୋଧରେ ମାମଲା ରୁଜୁ କରିଦେଲେ ଚଳିବନି । ବିଏମସି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦରକାର ।

ଖବର କାଗଜରୁ ଜାଣିବାକୁ ପାଇଲୁ, ବିଏମସି ପକ୍ଷରୁ ୨୦୧୪ ସେପ୍ଟେମ୍ବର ମାସରେ କୋଲକାତାର ବ୍ରିଜ ଆଣ୍ଡ୍‌ ରୁଫ କୋ (ଇଣ୍ଡିଆ) ଲିମିଟେଡ୍‌ ସହିତ ବିଏମସିର ରାଜିନାମା କରାଯାଇଥିଲା । ଦୁଇବର୍ଷ ଭିତରେ ଅର୍ଥାତ୍‌ ୨୦୧୬ ଜୁଲାଇ ୨୭ ତାରିଖ ଭିତରେ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ସାରିବାକୁ ଚୁକ୍ତି କରାଯାଇଥିଲା । ସରକାରଙ୍କ ପକ୍ଷରୁ ସଂପୃକ୍ତ କମ୍ପାନୀକୁ ଆବଶ୍ୟକ ଜମି ଓ ଅଗ୍ରିମ ୨୧ କୋଟି ଟଙ୍କା ଦିଆଯାଇଥିଲା । ନିର୍ଦ୍ଧାରିତ ଅବଧି ମଧ୍ୟରେ କାମ ନସାରିବା ଅଭିଯୋଗରେ ବିଏମସି ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି କାହିଁକି?

ଅଭିଯୁକ୍ତ କମ୍ପାନୀ ବିରୋଧରେ ୨୦୨୩ ଡିସେମ୍ବର ମାସରେ ମାମଲା ରୁଜୁ କରିବାର ମାନେ କ’ଣ ହୋଇପାରେ..
ଲୋକଙ୍କୁ ଭୋଟ ମାଗିବାକୁ ଯାଇ ହଲାପଟା ହେଲେ କଂପାନୀ ବିରୋଧରେ ମାମଲା ରୁଜୁ କରିଛି କହି ଦୋଷ ଛଡ଼ାଇଦେବାକୁ । ରାଜିନାମା ଖିଲାପ କରିବାର ୭ ବର୍ଷ ପରେ ମାମଲା ରୁଜୁ କରି ବିଏମସି ଓ ବିଜେଡି ସରକାର ଆପଣାକୁ ଦୋଷମୁକ୍ତ କହି ପାରିବେନି ।

ପୁନଶ୍ଚ ବିଜ୍ଞାନ କନଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ବିଏମସି ଏକ ରାଜିନାମା କରିଥିଲା ପଳାଶୁଣି ଅଂଚଳରେ ମେଗା ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ନିର୍ମାଣ କରିବା ପାଇଁ । ଚଳିତ ଏପ୍ରିଲ ୬ ତାରିଖରେ ରାଜିନାମା କରାଯାଇଥିଲା ଅଗଷ୍ଟ ୩ ତାରିଖ ସୁଦ୍ଧା କାମ ସାରିବାକୁ । ନିର୍ଦ୍ଧାରିତ ସମୟ ଭିତରେ କାମ ସାରି ନଥିବାରୁ ତା’ ବିରୋଧରେ ଚଟାପଟ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମାନେ କ’ଣ?

ଜନ ଅସନ୍ତୋଷରୁ ମୁକୁଳିବା ପାଇଁ ବିଏମସି ଅଭିଯୁକ୍ତ କମ୍ପାନୀ ବିଜ୍ଞାନ କନଷ୍ଟ୍ରକସନ୍‌ ବିରୋଧରେ ଚଟାପଟ୍‌ ମାମଲା ରୁଜୁ କଲା । କିନ୍ତୁ ଅଭିଯୁକ୍ତ ବ୍ରିଜ ଆଣ୍ଡ୍‌ ରୁଫ୍‌ କୋ ବିରୋଧରେ ରାଜିନାମା ଖିଲାପ କରିବାର ୭ ବର୍ଷ ପରେ ମାମଲା ରୁଜୁ କରାଗଲା ।

ଲୋକଙ୍କୁ ଘର ଯୋଗାଇବା ଓ ଅଳିଆ ଆବର୍ଜନା ମାମଲା ସମାନ ନୁହେଁ ବୋଲି ବିଏମସି ମୁଣ୍ଡରେ ଏବେ ବୁଦ୍ଧି ପଶିଲା..
ସତକଥା ହେଉଛି, ବିଜେଡି ସରକାରଙ୍କ ଅମଳରେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ କେବଳ ମୁଣ୍ଡ ଗଣତି ପାଇଁ ରଖାଯାଇଛି । ପ୍ରଶାସନିକ କାମଗୁଡ଼ିକ ସରକାରୀ ଅଧିକାରୀଙ୍କ ମର୍ଜିରେ ଚାଲିଛି ।