ଆରୟନ ଖାନ ଡ୍ରଗ୍ସ ମାମଲା: ସମୀର ଗଲେ, ତଦନ୍ତ ଭାର ନେଲେ ସଂଜୟ ସିଂହ

ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ମୁମ୍ବାଇର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କୁ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଏନସିବି ଅଧିକାରୀ ଏହି ମାମଲାକୁ ହସ୍ତାନ୍ତର କରାଯାଇଛି । ଖାଲି ସେତିକି ନୁହେଁ ଆର୍ଯ୍ୟନଙ୍କ ମାମଲା ସମେତ ଅନ୍ୟ କଇଛି କେସ୍ କୁ ମଧ୍ୟ ଫେରାଇ ନିଆଯାଇଛି । ଏବେ ପର୍ଯ୍ୟନ୍ତ ଯେଉଁ ୬ଟି ବଡ଼ ମାମଲା ରହିଛି ତାର ଯାଞ୍ଚ ବର୍ତ୍ତମାନ ନୂତନ ଅଧିକାରୀ ସଞ୍ଜୟ କୁମାର ସିଂ କରିବେ । ସେ ଏନସିବିରେ ରହିବା ପୂର୍ବରୁ ସିବିଆଈର ଡେପୁଟି ଇନ୍ସପେକ୍ଟର୍ ରହିସାରିଛନ୍ତି । ୧୯୯୬ ଓଡ଼ିଶା ବ୍ୟାଚ୍ ର ଆଇପିଏସ୍ ଅଫିସର୍ ସଞ୍ଜୟ କୁମାର ସିଂ ଏବେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ସମେତ ୬ଟି ବଡ଼ ମାମଲାର ତଦନ୍ତ କରିବେ । ସେ ଏବେ ଏନସିବିର ଡେପୁଟି ଡାଇରେକ୍ଟର୍ ଜେନେରାଲ୍ ପଦବୀରେ ରହିଛନ୍ତି । ସଞ୍ଜୟ କୁମାର ସିଂ ଓଡ଼ିଶାରେ ଆଣ୍ଟି ଡ୍ରଗ୍ସ ଟାସ୍କ ଫୋର୍ସର ନେତୃତ୍ୱ ନେଇସାରିଛନ୍ତି । ସେ ୨୦୧୦ରେ କମନୱେଲ୍ଥ ଗେମ୍ସ ଘୋଟାଲାର ଯାଞ୍ଚ ମଧ୍ୟ କରିସାରିଛନ୍ତି । ତେବେ ବର୍ତ୍ତମାନ ସେ ଯେଉଁ ୬ଟି କେସ୍ ହାତକୁ ନେଇଛନ୍ତି, ସେଥିରେ ଅଧିକାଂଶ କେସ୍ ବଲିଉଡ୍ ସହ ଜଡ଼ିତ ରହିଛି ।

ତେବେ ସମୀର ୱାଙ୍ଖଡେ ଆର୍ଯ୍ୟନ ଖାନ୍ ମାମଲାର ଯାଞ୍ଚ କରିବା ଠାରୁ ତାଙ୍କ ପାଇଁ ବିବାଦ ବଢ଼ିଯାଇଛି । ସେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି । ଶିବସେନା ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ମାନେ ଏନସିବିର ଜୋନାଲ୍ ଡାଇରେକ୍ଟର୍ ଙ୍କ ଉପରେ ବଲିଉଡ୍ ଓ ମହାରାଷ୍ଟ୍ରର ଛବି ଖରାପ କରିବା ପାଇଁ ମିଛ ମାମଲା ତିଆରି କରିବା ନେଇ ଅଭିଯୋଗ ଲଗାଯାଇଥିଲା ।