ପରଲୋକରେ ମହାଭାରତ‌ର ଭୀମ

ନୂଆଦିଲ୍ଲୀ: ଗତକାଲି ରାତିରେ ୭୪ ବର୍ଷ ବୟସରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାର ସୋବତିଙ୍କର କିଛି ମାସ ପୂର୍ବରୁ ଏକ ଅପରେସନ୍ କରାଯାଇଥିଲା। କିନ୍ତୁ ସେ ଚାଲିବାକୁ ଅସମର୍ଥ ଥିଲେ।

ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ।

ପ୍ରବୀଣ କୁମାର ସୋବତିଙ୍କ ଉଚ୍ଚତା ୬ଫୁଟ୍ ୬ଇଞ୍ଚ ହୋଇଥିବାରୁ ତାଙ୍କୁ ଅନେକ ଫିଲ୍ମରେ ଖଳନାୟକ ବା ଅଙ୍ଗରକ୍ଷୀ ଭଳି ଛୋଟମୋଟ ଚରିତ୍ରରେ ଦେଖିବାକୁ ମିଳୁଥିଲା। ସେ ୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସଫଳ ଆଥଲେଟ୍ ଥିଲେ।

ଏଥିସହ ସେ ଡିସ୍କସ ଥ୍ରୋରେ ଏସିଆନ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ଏହା ସହ ସେ ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିକ ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ବିଏସ୍ଏଫରେ ଯବାନ ଭାବେ ମଧ୍ୟ କାମ କରିଥିଲେ। ଏହା ପରେ ତାଙ୍କ ଉଚ୍ଚତା ଦେଖି ତାଙ୍କୁ ବି.ଆର. ଚୋପ୍ରା ଭୀମ ଚରିତ୍ର ଅଫର କରିଥିଲେ। ତାଙ୍କର ବିୟୋଗରେ ଟିଭି ଦୁନିଆରେ ଶୋକର ଛାୟା ଖେଳିଯାଇଛି।