ବିହାର ବିଧାନସଭା ନିର୍ବାଚନ: ଦିନ ୧୧ ଟା ସୁଦ୍ଧା ଆଗରେ ରହିଛି ଏନଡିଏ

ପାଟନା : ବିହାରର ବିଧାନସଭା ଲାଗି ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ବିହାର ନିର୍ବାଚନୀ ଫଳାଫଳ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। କାରଣ ଏଥର ମୋଦି-ନିତିଶ ଯୋଡ଼ିଙ୍କ ଲଢ଼େଇ ସିଧାସଳଖ ଆରଡେଜି ନେତା ତେଜସ୍ୱୀଙ୍କ ସହ ହେଉଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଗଣନା ଚାଲିଛି ଏବଂ ଦିନ ଏଗାରଟା ସୁଦ୍ଧା ଏନଡିଏ ଆଗରେ ରହିଛି। ମହାମେଣ୍ଟ ପଛେଇ ଯାଇଛି। ମହାମେଣ୍ଟରେ ଆରଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ରହିଛି। ଏହା ସହ ବିଜେପି ଏନଡିଏରେ ଭଲ ପ୍ରଦର୍ଶନ କରୁଛି। ତେବେ ଜେଡିୟୁ ପୂର୍ବପରି ଭଲ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିିଳିଛି।

ଏପର୍ଯ୍ୟନ୍ତ ବିହାରରେ ୨୧୮ଟି ଆସନର ଟ୍ରେଣ୍ଡ ଆସିଛି। ଏନଡିଏ ୧୨୬ଟି ଆସନରେ ମହାମେଣ୍ଟ ୧୦୦ଟି ଆସନରେ ଆଗରେ ରହିଛି। ଏହା ସହିତ ବାମ ଦଳ ମଧ୍ୟ କିଛି ସ୍ଥାନରେ ଆଗରେ ରହିଛି। ଏକଜିଟ୍ ପୋଲ୍ ଅନୁସାରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧିନ ମହାମେଣ୍ଟକୁ ବହୁମତ ମିଳୁଛି । ସେପଟେ ଜେଡିୟୁର କହିବା କଥା ଯେ, ଏକଜିଟ୍ ପୋଲ୍ ଅନେକ ଥର ଭୁଲ୍ ପ୍ରମାଣିତ ହୋଇଛି ।