ବିହାରର ନିର୍ବାଚନୀ ପ୍ରଚାର ଶେଷ,ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ପାଟନା: ଆସନ୍ତାକାଲି ହେବ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏଥିପାଇଁ ଗତକାଲି ଷ୍ଟାର ପ୍ରଚାରକ ଓ ନିଜ ଦଳର ମନ୍ତ୍ରୀମାନେ ଜୋରଦାର ନିର୍ବାଚନୀ ପ୍ରଚାର ଶେଷ କରିଛନ୍ତି ।

ନିର୍ବାଚନ ପାଇଁ ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ପଡ଼ୁଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ବିଜେପି ୨୯ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଜେଡିୟୁ ୩୫ଟି ଓ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା ୬ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିକାଶଶୀଳ ଇନ୍ସାନ ପାର୍ଟିର ଜଣେ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମହାମେଣ୍ଟରୁ ଆରଜେଡି ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ୨୧ଟିରେ ଓ ସିପିଆଇ-ଏମଏଲ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଲଜେପି ଯେଉଁ ଆସନଗୁଡ଼ିକରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ସେଠାରେ ପାର୍ଟି ବିଜେପି ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ଲାଗି ଶେଷ ଉଦ୍ୟମ କରିଛନ୍ତି।