ଏନସିପିରେ ସାମିଲ ହେବେ ବିଜେପିର ବରିଷ୍ଠ ନେତା

ମୁମ୍ୱାଇ: ମହାରାଷ୍ଟ୍ରର ବିରୋଧୀ ଦଳ ବିଜେପିକୁ ଲାଗିଛି ଶକ୍ତ ଝଟକା । ବୁଧବାର ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖାଡସେ ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବା ପଛର କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବୋଲି ସେ କହିଛନ୍ତି। କେନ୍ଦ୍ର ନେତୃତ୍ୱ ସହ ତାଙ୍କର କୌଣସି ମତଭେଦ ନଥିବା ପ୍ରେସ କନଫରେସ କରି ସେ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ସେ ଏନସିପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ଖାଡସେ ଏନସିପିରେ ସାମିଲ୍ ହେବେ। ଦୀର୍ଘ ୩୫ ବର୍ଷ ଧରି ବିଜେପିରେ ରହିବା ପରେ ଏନସିପିରେ ସାମିଲ୍ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ରରେ ଏକନାଥ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଜଣାଶୁଣା। ସେ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଛଅ ଥର ମହାରାଷ୍ଟ୍ରର ମୁକଟେନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଆସିଥିଲେ।