ଚିକିତ୍ସା ଆଳରେ ଦେଢ଼ବର୍ଷର ଶିଶୁକୁ ନିର୍ମମ ହତ୍ୟା

ଡାକ୍ତର ପିଲାଟିକୁ ପରୀକ୍ଷା କରି ମୃତ ଘୋଷଣା କଲେ….

ନୂଆଦିଲ୍ଲୀ: ଜଣେ ତାନ୍ତ୍ରିକ ଦେଢ଼ବର୍ଷର ରୋଗାକ୍ରାନ୍ତ ଶିଶୁକୁ ଭଲ କରିବାକୁ କହି ପ୍ରଥମେ ତା’ର ଦାନ୍ତ ଭାଙ୍ଗିଲା । ପରେ ତାକୁ ମାଟିରେ କଚାଡ଼ିଦେଲା । ୧୫ ମିନିଟ୍‌ କାଳ ପିଲାଟି ମାଟିରେ ନିସ୍ତେଜ ହୋଇ ପଡ଼ିରହିଲା ପରେ ତାନ୍ତ୍ରିକଟି ତାକୁ ହୋସ୍‌କୁ ଆଣିବା ପାଇଁ ଚେଷ୍ଟା କଲା । ପିଲାଟିର ହୋସ୍‌ ନଫେରିବାରୁ ପରିବାର ଲୋକେ ତାକୁ ହସ୍ପିଟାଲକୁ ନେଇଗଲେ । ଡାକ୍ତର ପିଲାଟିକୁ ପରୀକ୍ଷା କରି ମୃତ ଘୋଷଣା କଲେ ।

ମୃତ ପିଲାଟିକୁ ଧରି ପରିବାର ଲୋକେ ଥାନାରେ ପହଂଚିଲେ । ତାନ୍ତ୍ରିକଟି ପିଲାଟିକୁ ମାରିଦେଇଛି ଅଭିଯୋଗ କଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି । ମୃତ ପିଲାଟିର ଦାଦା କହନ୍ତି, ଗୁରୁବାର ରାତିରେ ପୁତୁରା ଅନୁଜ ଅଚାନକ ଅସୁସ୍ଥ ଅନୁଭବ କଲା ।

ଆମେମାନେ ପିଲାଟିକୁ ଧରି ଗ୍ରାମରେ ରହୁଥିବା ଜଣେ ତାନ୍ତ୍ରିକ ନିକଟକୁ ଯାଇଥିଲୁ । ତାନ୍ତ୍ରିକ ଜଣକ ତାକୁ ସୁସ୍ଥ କରିବାକୁ ଯାଇ ତା’ର ଦାନ୍ତ ଭାଙ୍ଗିଦେଲା । ମାଟିରେ କଚାଡ଼ିଦେଲା । ପିଲାଟି ହଲଚଲ ନହେବାରୁ ତାକୁ ଧରି ଡାକ୍ତରଖାନାକୁ ଗଲୁ । ପିଲାଟି ମରିଯାଇଥିବା କଥା ଡାକ୍ତର କହୁଛନ୍ତି ।