କୋରାନ ପୋଡ଼ିବା ଅର୍ଥ ଇସଲାମ ଧର୍ମକୁ ଅପମାନ

ସ୍ୱିଡେନର ଷ୍ଟକହୋମ ସେଂଟ୍ରାଲ ମସଜିଦ ସାମ୍ନାରେ କୋରାନ ଜଳାଯିବା ଘଟଣାକୁ କେନ୍ଦ୍ର କରି ସାଉଦି ଆରବ ଅସନ୍ତୋଷ ବ୍ୟକ୍ତ କରିଛି । ସାଉଦିରେ ଅବସ୍ଥାନ କରୁଥିବା ସ୍ୱିଡେନ ରାଜଦୂତଙ୍କ ନିକଟକୁ ନୋଟିସ୍‌ ପଠାଇ ଜବାବ ତଲବ କରିଛି ବିଦେଶ ମନ୍ତ୍ରଣାଳୟ ।

ରବିବାର ସ୍ୱିଡେନ ରାଜଧାନୀ ଷ୍ଟକହୋମରେ ପ୍ରତିଷ୍ଠିତ ସବୁଠାରୁ ବଡ଼ ମସଜିଦ ସାମ୍ନାରେ ସଲୱାନ୍‌ ମୋମିକା ନାମକ ଜଣେ ବ୍ୟକ୍ତି କୋରାନର କିଛି ଅଂଶରେ ନିଅାଁ ଲଗାଇ ଦେଇଥିଲେ । ସେହି ଘଟଣାରେ ଅଧିକାଂଶ ମୁସଳିମ ରାଷ୍ଟ୍ର ତୀବ୍ର ସମାଲୋଚନା କରିଚନ୍ତି । ସାଉଦି ଆରବ ଟିକେ ଅଧିକା ପ୍ରତିକ୍ରିୟାଶୀଳ ହୋଇଛି ।

ସାଉଦି ଆରବ କହିଛି, ବିଦେଶ ମନ୍ତ୍ରଣାଳୟ ସ୍ୱିଡେନ ରାଜଦୂତଙ୍କୁ ଡକାଇ ପବିତ୍ର ଧର୍ମଗ୍ରନ୍ଥ କୋରାନ ଜଳାଇବା ଘଟଣାକୁ ମୁସଲିମ ସମୁଦାୟକୁ ଅପମାନ କହିଛି । ଏପରି ହୀନ କାର୍ଯ୍ୟକୁ ତୁରନ୍ତ ରୋକାଯିବା ଦରକାର । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । କିଛି ହାତଗଣତି ଉଗ୍ର ଚରିତ୍ର ବିଶିଷ୍ଟ ଲୋକ ଆନ୍ତର୍ଜାତିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି । ସବୁ ମୁସଲିମ ରାଷ୍ଟ୍ର ସେଭଳି ଲୋକଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

କେବଳ ସାଉଦି ଆରବ ନୁହେଁ, ଇରାକ, କୁଏତ, ସଂଯୁକ୍ତ ଆରବ ରାଷ୍ଟ୍ରଗୋଷ୍ଠୀ ସମେତ ବହୁ ଦେଶ ସ୍ୱିଡେନ ରାଜଦୂତଙ୍କୁ ତାଗିଦ କରିଛନ୍ତି । ମରକ୍କୋ ଆଉ ପାଦେ ଆଗେଇ ଯାଇ ସ୍ୱିଡେନ ପାଇଁ ନିଯୁକ୍ତ ରାଜଦୂତଙ୍କୁ ଅନିଶ୍ଚିତ କାଳ ପାଇଁ ଫେରାଇ ଆଣିଛି ।