‘କଂଗ୍ରେସ ଡକାୟତଙ୍କ ଆଡ୍ଡା, ଛଳନାର ବଜାର’

ବିକାନେରରେ ଅନୁଷ୍ଠିତ ଜନସମାବେଶରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଡକାୟତଙ୍କ ଆଡ୍ଡା ଓ ମିଛର ବଜାର କହିଛନ୍ତି । କଂଗ୍ରେସର ଡାହାମିଛର ଶିକାର ହୋଇଥିବା ଲୋକଙ୍କ ଭିତରେ ଅଛନ୍ତି ସର୍ବାଧିକ ରାଜସ୍ଥାନ ଚାଷୀ । ଗତ ନିର୍ବାଚନରେ ରାଜସ୍ଥାନ ଚାଷୀଙ୍କୁ ୧୦ ଦିନ ଭିତରେ କରଜମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ନେତାଗଣ । ୧୦ ଦିନିଆ ପ୍ରତିଶ୍ରୁତି ଏବେ ଚାରିବର୍ଷ ଟପିଲାଣି । ରାଜସ୍ଥାନ ଚାଷୀମାନଙ୍କୁ ଋଣମୁକ୍ତ କରିବା କଥା କେତେବାଟ ଗଲା ବୋଲି ମୋଦି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ।

ମୋଦି କହିଛନ୍ତି, ଏହି ଜନସମାବେଶରେ ଲୋକଙ୍କ ଭିଡ଼ ଦେଖି ଗୋଟିଏ କଥା ଅନୁମାନ କରୁଛି ଯେ ଏଠାରେ ମୌସୁମୀର ପ୍ରଭାବ ତୁଳନାରେ କଂଗ୍ରେସ ସରକାର ପ୍ରତି ଜନତାଙ୍କ କ୍ରୋଧ ଅଧିକ ମାତ୍ରାରେ ବଢ଼ିଯାଇଛି । ଲୋକଙ୍କ ମୁଣ୍ଡ ଗରମ ହୋଇଗଲେ କ୍ଷମତା ପରିବର୍ତନ ନିଶ୍ଚିତ । ମୋଦି ପୁଣି କହିଛନ୍ତି, ରାଜସ୍ଥାନର ବିଭିନ୍ନ ଯୋଜନା ପାଇଁ ଆମେ ଦିଲ୍ଲୀରୁ ଟଙ୍କା ପଠାଉଛୁ । କିନ୍ତୁ ଏଠାକାର କଂଗ୍ରେସ ସରକାର ରାଜସ୍ଥାନକୁ ବହୁତ କ୍ଷତିରେ ପକାଇଛି । ମୁଁ ଶୁଣିବାକୁ ପାଉଛି ଯେ ବିଧାୟକ ଓ ମନ୍ତ୍ରୀମାନେ ସେମାନଙ୍କର ସରକାରୀ ବଙ୍ଗଳାକୁ ଖାଲି କରି ବ୍ୟକ୍ତିଗତ ବାସଭବନକୁ ଚାଲି ଯାଉଛନ୍ତି ।

ନିର୍ବାଚନର ଏଭଳି ପରାଜୟ ଆଶଙ୍କା କେବଳ କଂଗ୍ରେସ ନେତାମାନେ ହିଁ କରିପାରନ୍ତି । ରାଜସ୍ଥାନରେ ପ୍ରତ୍ୟେକ ନେତା ଅନ୍ୟର ଗୋଡ଼ ଟାଣୁଛି । ଆପଣା ଆପଣା ମିଛକୁ ମଜଭୁତ କରିବା ପାଇଁ ଖୋଲାଖୋଲି ବେପାର କରୁଛନ୍ତି । କଂଗ୍ରେସର ଗୋଟିଏ ଗୋଠ ଅନ୍ୟ ଗୋଟିଏ ଗୋଠକୁ ହଜମ କରିବାକୁ ବସିଛି । ବିଗତ ଚାରିବର୍ଷ ଧରି ରାଜସ୍ଥାନରେ ଭ୍ରଷ୍ଟାଚାରର କୁସ୍ତି ଚାଲିଥିଲା । ଏବେ ଗଣତନ୍ତ୍ରର ମୈଦାନରେ ଲୋକମାନେ ଚୂଡ଼ାନ୍ତ ନିଷ୍ପତି ନେବେ । ରାଜସ୍ଥାନକୁ ପାରିବାରିକ ଶାସନ ନୁହେଁ ବିକାଶବାଦର ଆବଶ୍ୟକତା ରହିଛି । ଏଠାରେ ଯୁବକଙ୍କ ଭାଗ୍ୟ ସହିତ ଖେଳ ଚାଲିଛି । ଏ ଶାସନର ଅନ୍ତ ଘଟାଇବାକୁ ପଡ଼ିବ ।