ଦିଲ୍ଲୀ ମେୟର ନିର୍ବାଚନ: ଆପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ମନୋନୀତ ସଭ୍ୟଙ୍କର ଭୋଟ ଦେବାର ଅଧିକାର ନାହିଁ….

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଦିଲ୍ଲୀ ମେୟର ନିର୍ବାଚନ ମାମଲାର ବିଚାର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପ୍ରଥମ ବୈଠକରେ ମେୟର ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେଥିପାଇଁ ୨୪ ଘଂଟା ଭିତରେ ନୋଟିସ୍‌ ଜାରି କରିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ତାଙ୍କ ରାୟରେ ମନୋନୀତ ସଭ୍ୟଙ୍କଠାରୁ ମତଦାନ କରିବାର ଅଧିକାର ଛଡ଼ାଇ ନେଇଛନ୍ତି ।

ମେୟର ନିର୍ବାଚନ ପରେ ଡେପୁଟି ମେୟର ନିର୍ବାଚନ ସାରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି-ଏମ୍‌ସିଡି ବୈଠକକୁ ପରିଚାଳନା କରିବାର ଅଧିକାର ମେୟରଙ୍କର ରହିଛି । ତେଣୁ ପ୍ରଥମେ ମେୟର ନିର୍ବାଚନ ଓ ପରେ ଡେପୁଟି ମେୟରଙ୍କ ନିର୍ବାଚନ ହେବା ଉଚିତ । ମେୟର ନିର୍ବାଚନରେ ମନୋନୀତ ସଭ୍ୟଙ୍କର ମତଦାନକୁ ବିରୋଧ କରି ଆପ୍‌ ମେୟର ପ୍ରତ୍ୟାଶୀ ଶୈଲୀ ଓବରାୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଶୈଲୀ ପ୍ରାର୍ଥନା କରିଥିଲେ ଯେ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେୟର ନିର୍ବାଚନ କରାଯାଉ । ଶୁକ୍ରବାର ରାୟ ଶୁଣିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶରେ ଗଣତନ୍ତ୍ରର ବିଜୟ ପ୍ରମାଣିତ ହୋଇଛି ।ସୁପ୍ରିମକୋର୍ଟକୁ ବହୁତ ବହୁତ ଧନ୍ୟବାଦ । ଅଢେ଼ଇ ମାସ ପରେ ଦିଲ୍ଲୀକୁ ମେୟର ମିଳିବ । ଉପ ରାଜ୍ୟପାଳ ଓ ବିଜେପି ମିଳିତ ଭାବେ ଅସାମ୍ବିଧାନିକ ପନ୍ଥା ଅନୁସରଣ କରି ଦିଲ୍ଲୀର ମେୟର ପଦବୀ ମାଡ଼ି ବସିଛନ୍ତି ।