ଇଡିଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ: ସୁପ୍ରିମକୋର୍ଟ

ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ଇଡି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ତୃତୀୟଥର ପାଇଁ ବୃଦ୍ଧି କରିବା ବେଆଇନ । କୋର୍ଟଙ୍କ ଆଦେଶ ସତ୍ୱେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପଦ ଓ କ୍ଷମତା ଉପଭୋଗ କରିବେ ଶ୍ରୀ ମିଶ୍ର । ନଭେମ୍ବର ୧୮ ତାରିଖରେ ସଂଜୟ ମିଶ୍ର ଅବସର ନେବାର ଥିଲା । କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳକୁ ଦ୍ୱିତୀୟଥର ପାଇଁ ବୃଦ୍ଧି କରିବା ଦେଖି ସୁପ୍ରିମକୋର୍ଟ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ତୃତୀୟଥର ପାଇଁ ବଢ଼ାଇବାକୁ ବାରଣ କରିଥିଲେ ।

ମାତ୍ର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ଅଧ୍ୟାଦେଶ ବଳରେ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ତୃତୀୟଥର ବୃଦ୍ଧି କରିଥିଲେ । କେନ୍ଦ୍ର ସରକାର ଆପଣା ନିଷ୍ପତିକୁ ଯଥାର୍ଥ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଶ୍ରୀ ମିଶ୍ରଙ୍କ ଭଳି ଦକ୍ଷ ଅଫିସର ଖୋଜାଚାଲିଛି । ଦକ୍ଷ ଅଫିସର ନମିଳିବା କାରଣରୁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଶ୍ରୀ ମିଶ୍ର ଏବେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛନ୍ତି । ତେଣୁ ତାଙ୍କୁ ଅବ୍ୟାହତି ଦେଇ ନୂତନ ଅଧିକାରୀଙ୍କ ନିଯୁକ୍ତି ପାଇଁ ସାମାନ୍ୟ ବିଳମ୍ବ ହେବ ।

ସୂଚନା ଥାଉ, କମନ୍‌ କଜ୍‌ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ଆବେଦନର ବିଚାର କରି ସୁପ୍ରିମକୋର୍ଟ ଜଷ୍ଟିସ୍‌ ବିଆର ଗବାଇ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ସଂଜୟ କରୋଲଙ୍କ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି ।